ଉଠା ଜଳସେଚନ ବିଭାଗ ନାଚାର : ୨୦ ଜଣ ଚାଷୀଙ୍କ ପଏଣ୍ଟ ବ୍ୟବହାର କରୁଛନ୍ତି ମାତ୍ର ୨ ଜଣ

0
173
ଉଠା ଜଳସେଚନ ବିଭାଗ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୩/୦୨) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ମୂର୍ତ୍ତାହାଣ୍ଡି ପଞ୍ଚାୟତ ର ମାଚାହାଣ୍ଡି ଅଞ୍ଚଳରେ ବିଜୁ କୃଷକ ବିକାଶ ଯୋଜନା ମାଧ୍ୟମରେ ଉଠା ଜଳସେଚନ ବିଭାଗ ଦ୍ୱାରା ୨୦ ରୁ ୨୫ ଜଣ ଗରିବ ଚାଷୀ ମାନଙ୍କୁ ନେଇ ଖରିଫ ଫସଲ ପାଇଁ ପାଣି ଉଠାଇବାର ବ୍ୟବସ୍ଥା କରାଯାଇଥିଲା ।WhatsApp Image 2022 02 03 at 8.12.12 AM ଉଠା ଜଳସେଚନ ବିଭାଗ ନାଚାର : ୨୦ ଜଣ ଚାଷୀଙ୍କ ପଏଣ୍ଟ ବ୍ୟବହାର କରୁଛନ୍ତି ମାତ୍ର ୨ ଜଣ

ଗତ ୫ ବର୍ଷ ପୂର୍ବେ ଉଠା ଜଳସେଚନ ବିଭାଗ ତରଫରୁ ୨୦ ହେକ୍ଟର ଓ ରବି ଫସଲ ପାଇଁ ୧୬ ହେକ୍ଟର ଜମିରେ ପନିପରିବା ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ମାଚାହାଣ୍ଡି ନିକଟସ୍ଥ ଅଲୋଟା ଜଅରା ନଦୀ କୂଳରେ ୧୦ ଅଶ୍ୱ କ୍ଷମତା ସମ୍ପନ୍ନ ପମ୍ପ୍ ସେଟ୍ ସ୍ଥାପନ କରି ପାଣି ଉଠାଇବାର ବ୍ୟବସ୍ଥା କରାଯାଇଥିଲା ।

ସମୁଦାୟ ୪ ଗୋଟି ପଏଣ୍ଟ ଦିଆଯାଇ ଉଠା ଜଳସେଚନ ବିଭାଗ ତରଫରୁ ସମସ୍ତ ଜମିକୁ ଜଳସେଚନ ପାଇଁ ପାଇପ୍ ବିଛାଯାଇଥିଲା । କିନ୍ତୁ ଦୀର୍ଘ ୫ ବର୍ଷ ହେଲା ଏକ ନିର୍ଦ୍ଦିଷ୍ଟ ପରିବାର ର ୨ ଜଣ ଚାଷୀ କେବଳ ନିଜ ଜମିରେ ପାଣି ମଡାଉ ଥିବା ତଥା ଅନ୍ୟ ଚାଷୀ ମାନଙ୍କୁ ଓଲଟା ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ କ୍ଷତିଗ୍ରସ୍ତ ଚାଷୀମାନେ କୋଟପାଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋରାପୁଟ ଜିଲ୍ଲାପାଳ, ସ୍ଥାନୀୟ ଥାନା ତଥା ଉଠା ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ଅଭିଯୋଗ ପାଇବା ପରେ ସୋମବାର ବିଭାଗୀୟ ଯନ୍ତ୍ରୀ ସୁବୋଧ ଦାସ ଏବଂ କୋଟପାଡ଼ ଥାନା ସେକେଣ୍ଡ ଅଫିସର ସୁନୀଲ କୁମାର ସ୍ୱାଇଁ ମଚ୍ଚାହାଣ୍ଡି ପହଞ୍ଚି ତଦନ୍ତ କରିଥିଲେ ।ତଦନ୍ତ କାରୀ ଅଧିକାରୀ ମାନେ ଉକ୍ତ ଉଠା ଜଳସେଚନ ପଏଣ୍ଟ ବନ୍ଦ କରିବା ସହ ମୂର୍ତ୍ତାହାଣ୍ଡି ସରପଞ୍ଚ ଙ୍କୁ ସମାଧାନ କରିବାକୁ କହି ଚାଲି ଯାଇଥିଲେ । ଏହାପରେ ଉତ୍ତେଜିତ ଚାଷୀ ମାନେ ନଦୀ ତଟକୁ ପଏଣ୍ଟକୁ ଯାଇ ସରପଞ୍ଚ ଙ୍କ ଉପସ୍ଥିତିରେ ମୋଟର ବାହାର କରି ସରପଞ୍ଚଙ୍କ ଜିମା ଦେଇଥିବା ଜଣାପଡିଛି । ଉକ୍ତ ଜମିରେ କେବଳ ଗୋଟିଏ ମୋଟର ଥିବା ବେଳେ ଅନ୍ୟ ଏକ ମୋଟର କିଏ ବାହାର କରିଛି ତାହା ଅନୁସନ୍ଧାନ ସାପେକ୍ଷ ।

ବିଜୁ କୃଷକ ବିକାଶ ଯୋଜନା ଉଠା ଜଳସେଚନ ପଏଣ୍ଟ ମନୋଜ କୁମାର ବିଷୋୟୀ ଓ ବୁଦୁ ସିଂ ବିଶୋୟୀ ଙ୍କ ନାମରେ ଥିବାର ଜଣାପଡିଛି । ଉକ୍ତ ଯୋଜନାରେ ଆସୁଥିବା ପାଇପ ଗୁଡିକ ମଧ୍ୟ ଏ ଦୁହେଁ ମନମୁଖୀ ଭାବେ ନିଜ ଜମିରେ ବିଛାଇ ଥିବାର ଅଭିଯୋଗ ଆଣିଛନ୍ତି । ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ ସାଧାରଣରେ ଦାବି ଜୋର ଧରିଛି ।