ତୃତୀୟ ପର୍ଯ୍ୟାୟ ମତଦାନ : ୨୯ ଜିଲ୍ଲାର ୬୩ ଟି ବ୍ଲକରେ ୫୬.୫୩ ଲକ୍ଷ ଲୋକ ଦେବେ ଭୋଟ

0
124
ତୃତୀୟ ପର୍ଯ୍ୟାୟ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୦/୦୨) : ଆଜି ୨୯ ଟି ଜିଲ୍ଲା ର ୬୩ ଟି ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ୧୭୧ ଟି ଜିଲ୍ଲା ପରିଷଦ ଆସନ, ୧୩୮୨ ପଞ୍ଚାୟତ ରେ ଉଭୟ ସରପଞ୍ଚ ଓ ସମିତି ସଭ୍ୟ ନିର୍ବାଚନ ମଇଦାନରେ ଅଛନ୍ତି ।

ରାଜ୍ୟ ର ୫୬.୫୩ ଲକ୍ଷ ଭୋଟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ୧୮,୪୯୫ ଟି ବୁଥ୍ ଚୂଡ଼ାନ୍ତ ହୋଇଥିବା ବେଳେ ସେଥିରୁ ୨,୭୭୩ ଟି ଉତ୍ତେଜନା ପ୍ରବଣ ବୋଲି ଚିହ୍ନଟ ହୋଇଛି । ଗତ ଦୁଇଟି ପର୍ଯ୍ୟାୟରେ ମୋଟ ୩୦ ଟି ଜିଲ୍ଲା ର ୧୩୯ ଟି ବ୍ଲକରେ ୩୮୬ ଟି ଜିଲ୍ଲା ପରିଷଦ ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇ ସାରିଛି ।

ରାଜ୍ୟ ନିର୍ବାଚନ କମିଶନର ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ କେବଳ ଝାରସୁଗୁଡ଼ା ବ୍ୟତୀତ ଅନ୍ୟ ୨୯ ଟି ଜିଲ୍ଲା ର ୬୩ ଟି ବ୍ଲକରେ ଅନୁଷ୍ଠିତ ହେବ । ଏହି ବ୍ଲକ ଗୁଡ଼ିକରେ ୧୭୧ ଟି ଜିଲ୍ଲା ପରିଷଦ ଜୋନରେ ମୋଟ ୬୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ବ୍ୟାପକ ହିଂସା ଓ ଗଣ୍ଡଗୋଳ ମଧ୍ୟରେ ୨ଟି ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ପୁଲିସ ର ଭୂମିକା କୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଯଦିଓ ପୁଲିସ ଡିଜି ସୁନୀଲ କୁମାର ବନସଲ କୌଣସି ପ୍ରକାର ର ହିଂସା ଓ ଗଣ୍ଡଗୋଳ କୁ ବରଦାସ୍ତ କରାଯିବନି ବୋଲି ଆଶ୍ୱାସନା ଦେଇଛନ୍ତି । ତଥାପି ରାଜ୍ୟରେ ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଏ ପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି ।

ଆସନ୍ତାକାଲି ମତଦାନ ପରେ ଆଉ ଦୁଇଟି ପର୍ଯ୍ୟାୟ ଭୋଟ ଫେବୃୟାରୀ ୨୨ ଓ ୨୪ ତାରିଖରେ ହେବ । ଏହି ସମସ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ର ଗଣତି ଫେବୃୟାରୀ ୨୬ ରୁ ୨୮ ତାରିଖ ମଧ୍ୟରେ ହେବ ।