ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ନିଜ ଖର୍ଚ୍ଚରେ ଆଣିବେ ରାଜ୍ୟ ସରକାର

0
142
ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୬/୦୨) : ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କେନ୍ଦ୍ର କୁ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ର ସହ ସମନ୍ୱୟ ରକ୍ଷା କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ୟୁକ୍ରେନରେ ବହୁ ସଂଖ୍ୟାରେ ଓଡ଼ିଆ ଛାତ୍ରଛାତ୍ରୀ ମେଡିକାଲ ପାଠ ପଢ଼ିବାକୁ ଯାଇଛନ୍ତି । ଯୁଦ୍ଧ ପରିସ୍ଥିତି ଉଗ୍ରରୂପ ନେଉଥିବାରୁ ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସେମାନଙ୍କ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା । ଅନ୍ୟପକ୍ଷରେ ସମସ୍ତଙ୍କୁ ସୁରକ୍ଷିତ ୟୁକ୍ରେନରୁ ଫେରାଇ ଆଣିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ।

ସେ କହିଛନ୍ତି ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ନିରନ୍ତର ଯୋଗଯୋଗରେ ଅଛନ୍ତି ଏବଂ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କଥାବାର୍ତ୍ତା ଚାଲିଛି । ସେଠାରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।