ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ଫେରିବେ ୟୁକ୍ରେନରେ ଥିବା ଭାରତୀୟ

0
153
ପୋଲାଣ୍ଡ ଓ ହଙ୍ଗେରୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୦୨) : ରୁଷ-ୟୁକ୍ରେନ ବିବାଦ ଯୁଦ୍ଧ ର ରୂପ ନେଇଛି । ରୁଷ ଯୁଦ୍ଧ ଘୋଷଣା କରି ୟୁକ୍ରେନ ଉପରେ ଆକ୍ରମଣ କରିଛି । ରୁଷ ସେନାଙ୍କ ଅତର୍କିତ ଆକ୍ରମଣ ଯୋଗୁଁ ଆତଙ୍କିତ ହୋଇ ପଡ଼ିଛନ୍ତି ୟୁକ୍ରେନ ବାସିନ୍ଦା । ଇତି ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ଚିନ୍ତା ମଧ୍ୟ ବଢ଼ିଯାଇଛି । ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି । ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ୟୁକ୍ରେନରେ ରହିଥିବା ଭାରତୀୟଙ୍କୁ ଆଣିବାକୁ ବ୍ୟବସ୍ଥା କରାଯାଉଛି ।

ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶୃଙ୍ଗଲା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି “ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତାରେ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ନେଇ ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ, ହଙ୍ଗେରୀର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ସମସ୍ତ ଦୂତାବାସକୁ ସକ୍ରିୟ କରାଯିବ ସହିତ ଆଡଭାଇଜରି ଜାରି କରାଯାଇଛି” ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ବଢ଼ିବା ପରେ ଭାରତ ସରକାର ବିମାନ ଜରିଆରେ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ୟୁକ୍ରେନ ଆକାଶରେ ଏବେ ନୋ ଫ୍ଲାଇିଂ ଜୋନ୍ ଘୋଷଣା ହୋଇଛି । ଫଳରେ ଉଦ୍ଧାର ପ୍ରକ୍ରିୟା ବନ୍ଦ ରହିଛି ।

ରୁଷ-ୟୁକ୍ରେନ ବିବାଦ ଯୁଦ୍ଧ ର ରୂପ ନେବାର ଆଶଙ୍କା ଥିବାରୁ ଗତ ୨୨ ତାରିଖରେ ୟୁକ୍ରେନରେ ଥିବା ଭାରତୀୟ ନାଗରିକ ମାନଙ୍କୁ ଦେଶକୁ ଫେରି ଆସିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ଏୟାର ଇଣ୍ଡିଆ ର ଏକ ବିମାନ ୟୁକ୍ରେନରୁ ୨୪୨ ଜଣ ଭାରତୀୟ ନାଗରିକଙ୍କୁ ଗୁରୁବାର ଦେଶକୁ ଆଣିଥିଲା । ଏହା ପରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବାରୁ ୟୁକ୍ରେନ ର ସମସ୍ତ ବିମାନ ବନ୍ଦର ବନ୍ଦ କରାଯାଇଥିବାରୁ ସେଠାରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା।

ୟୁକ୍ରେନ ର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ ହଜାର ଭାରତୀୟ ରହିଛନ୍ତି । ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଥିବାରୁ ସେଠାରେ ଫସି ରହିଥିବାର ଭାରତୀୟଙ୍କ ପାଇଁ ଭାରତ ସରକାରଙ୍କ ଚିନ୍ତା ବଢ଼ି ଯାଇ ଛି। ଏହି ପରିସ୍ଥିତିରେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି କରାଯାଇ ଶାନ୍ତ ରହିବା ସହ ବାହାରକୁ ନ ବାହାରି ଘରେ କିମ୍ବା କୌଣସି ସୁରକ୍ଷିତ ସ୍ଥାନରେ ରହିବାକୁ ଭାରତୀୟ ନାଗରିକ ମାନଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ସେମାନଙ୍କ ପାଇଁ ସରକାର ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି କରିଛନ୍ତି ।

ବିମାନ ବନ୍ଦର ଗୁଡ଼ିକୁ ବନ୍ଦ କରାଯିବା ପରେ ଭାରତୀୟମାନେ ସେଠାରୁ କିପରି ଫେରିବେ ସେ ନେଇ ଚିନ୍ତା ବଢ଼ିଯାଇଥିଲା । ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ୟୁକ୍ରେନରୁ ପୋଲାଣ୍ଡ ରାସ୍ତା ଦେଇ ଦେଶକୁ ଅଣାଯିବ । ୟୁକ୍ରେନ ସଙ୍କଟ ନେଇ ବିଦେଶ ମନ୍ତ୍ରାଳୟ ର ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହୋଇଛି । ୟୁକ୍ରେନ ର ସ୍ଥିତି ଗମ୍ଭୀର ରହିଛି । ଏହି ପରିସ୍ଥିତିରେ ଭାରତୀୟଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା ବୋଲି କେନ୍ଦ୍ର ସରକାର କହିଛନ୍ତି ।

ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ସହ ରୋମାନିଆ ଓ ସ୍ଲୋଭାକିଆ ରାସ୍ତା ଦେଇ ମଧ୍ୟ ଭାରତୀୟଙ୍କୁ ୟୁକ୍ରେନ ସୀମାରୁ ଦେଶକୁ ଅଣାଯିବ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନିମନ୍ତେ ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।