କୁଡୁମି ସମ୍ପ୍ରଦାୟ ତରଫରୁ ‘ସାରୁଲ ପରବ’ ଅନୁଷ୍ଠିତ

0
155
କୁଡୁମି ସମ୍ପ୍ରଦାୟ ତରଫରୁ

ରିପୋର୍ଟ : ଶ୍ୟାମଳେନ୍ଦୁ ପରିଡ଼ା
ରାଇରଙ୍ଗପୁର, (୧୭/୦୩) : ଋତୁରାଜ ବସନ୍ତ ର ଆଗମନରେ ପ୍ରକୃତି ସବୁଜିମା ଚାଦରରେ ଢଙ୍କେଇ ହୋଇଛି । ବୃକ୍ଷଲତା, ପାହାଡ ପର୍ବତ, ଫୁଲ, ଫଳ ସବୁଜିମାରେ ଭରପୁର । ଏହି ଫାଲୁଗୁନ ମାସରେ କୁଡୁମି ସମ୍ପ୍ରଦାୟ ତରଫରୁ ବିଭିନ୍ନ ସ୍ଥାନରେ ସେମାନଙ୍କର ଅନନ୍ୟ ଆଦ୍ୟ ପର୍ବ ‘ସାରୁଲ ପରବ‘ ମହା ଆଡମ୍ବର ସହକାରେ ପାଳିତ ହେଉଅଛି ।

ଏହି ଦିନ କୁଡୁମି ସମ୍ପ୍ରଦାୟ ତରଫରୁ ସମାଜ ର ପୂଜା ସ୍ଥଳୀ ‘ଜାହିରା ପୀଠକୁ ପୂଜକ ଦେହୂରୀ ସଫା ସୁତୁରା କରି ସେଠାରେ ଥିବା ଦେବା ଦେବୀଙ୍କୁ ସ୍ନାନ କରାଇ ପରମ୍ପରା ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଜଙ୍ଗଲରୁ ଏହି ଫାଲୁଗୁନ ମାସରେ ପ୍ରଷ୍ଫୁଟିତ ହୋଇଥିବା ଶାଳଗଛରୁ ଡାଳ ଓ ଫୁଲ ଆଣି ପୂଜାର୍ଚ୍ଚନା କରିଥିଲେ ।

ଗ୍ରାମ ର, ସମାଜ ର, ମାନବ ଜଗତ ର ମଙ୍ଗଳ‌, ରୋଗ ବ୍ୟାଧି ଦୂର ପାଇଁ, ସୁଖ ଓ ଶାନ୍ତି କାମନା ପାଇଁ ଦେବାଦେବୀଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ । ଶାଳ ଫୁଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରାଯିବା ପରେ ମହିଳାମାନେ ପୂଜକଙ୍କ ଠାରୁ ଫୁଲ ଗ୍ରହଣ କରି ମୁଣ୍ଡରେ ଖୋସିଥାନ୍ତି ଏବଂ ପୁରୁଷମାନେ କାନ ମୁଣ୍ଡରେ ଖୋସି ଖୁସିରେ ମନାଇଥିଲେ । ପଶୁପକ୍ଷୀଙ୍କ ସୁସ୍ଥ ଜୀବନ କାମନା ସହ ଉତ୍ତମ ବଂଶ ବୃଦ୍ଧି ପାଇଁ କାମନା କରିଥିଲେ ।

ପରେ ପୀଠରେ ଛେଳି, କୁକୁଡ଼ା ବଳି କରି ପୂଜାର୍ଚ୍ଚନା କରିଥିଲେ । ସେହି ପ୍ରସାଦକୁ ରୋଷେଇ କରି ସମସ୍ତ ଭକ୍ତଙ୍କୁ ପ୍ରସାଦ ହିସାବରେ ବଣ୍ଟନ କରାଯାଇଥିଲା । ମହିଳା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅଲଗା ରୋଷେଇ ହୋଇ ପ୍ରସାଦ ବଣ୍ଟନ କରାଯାଇଥିଲା । ବହୁ ଦୂର ଦୂରାନ୍ତରୁ କୁଡୁମି ସମାଜର ଲୋକେ ଏହି ସହ ସ୍ଥାନକୁ ଆସି ପୂଜାର୍ଚ୍ଚନା କରିବା ସହ ନିଜ ଭାଷା, ସଂସ୍କୃତି, ପରମ୍ପରା, ଭାଇଚାରା ଓ ଭାବ ର ଆଦାନ ପ୍ରଦାନ କରିଥିଲେ ।

ପରେ ଅପରାହ୍ନରେ କମିଟି ତରଫରୁ ଖ୍ୟାତନାମା ଝୁମର କଳାକାରଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ।ନୃତ୍ୟ ଗୀତରେ ମହିଳା, ପୁରୁଷ, ଯୁବକ ଯୁବତୀ ମତୁଆଲା ହୋଇଯାଇଥିଲେ ।