କ୍ଷମତାଶାଳୀଙ୍କ ସ୍ୱାର୍ଥ ପାଇଁ ରେଳପଥ ର ଦିଗ ପରିବର୍ତ୍ତନ : କୋରାପୁଟ ଜିଲ୍ଲାପାଳଙ୍କୁ ଅଭିଯୋଗ

0
283
କ୍ଷମତାଶାଳୀଙ୍କ ସ୍ୱାର୍ଥ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୩୧/୩) : କିଛି କ୍ଷମତାଶାଳୀଙ୍କ ସ୍ୱାର୍ଥ ପାଇଁ ପ୍ରସ୍ତାବିତ ନୂତନ ରେଳପଥ ର ପଥ ପରିବର୍ତ୍ତନ ପାଇଁ ଜ଼ିଲ୍ଲାପାଳଙ୍କୁ ବୁଧବାର ବୋରିଗୁମ୍ମା ବ୍ଳକ ବାରଙ୍ଗଗୁଡା ଓ ଏକଟାଗୁଡା ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଦୁଇ ଗ୍ରାମ ର ମଧ୍ୟ ଭାଗରେ ଟ୍ରେନ ଲାଇନ ଯିବା ପାଇଁ ଜମି ଚିହ୍ନଟ ହୋଇଛି । ଦୁଇ ଗ୍ରାମବାସୀ ଗରିବ ସୀମାରେଖା ତଳେ ଥିବା ବେଳେ ଅଧିକାଂଶ ଦିନ ମଜୁରିଆ ଭାବେ କାମ କରନ୍ତି । ସେମାନଙ୍କ ପାଖରେ ଅଳ୍ପ ଜମି ରହିଛି । ଟ୍ରେନ ଲାଇନ ଯିବା ପାଇଁ ଯେଉଁ ସବୁ ଜମି ସବୁ ଚିହ୍ନଟ କରାଯାଇଛି । କିଛି କ୍ଷମତାଶାଳୀଙ୍କ ସ୍ୱାର୍ଥ ପାଇଁ ରେଳପଥ ର ଦିଗ ପରିବର୍ତ୍ତନ ହୋଇ ସେଗୁଡିକ ଚାଲିଗଲେ ସେମାନେ ବାସହରା ଓ ଭୂମିହୀନ ହୋଇଯିବେ ।

ଦୁଇ ଗ୍ରାମ ମଧ୍ୟରେ ଦୂରତା କମ ଥିବା ହେତୁ ମଝିରେ ଟ୍ରେନ ଲାଇନ ଗଲେ ସମସ୍ୟା ସୃଷ୍ଟି ହେବା ସହ ଧନ ଜୀବନ କ୍ଷତିଗ୍ରସ୍ତ ହେବ । ପାଠ ପଢୁଥିବା ପିଲା ଅଙ୍ଗନବାଡି ପାଇଁ ବାରଙ୍ଗଗୁଡା ଉପରେ ନିର୍ଭର କରନ୍ତି । ବୋରିଗୁମ୍ମା ଟାଉନ ଯିବା ପାଇଁ ବାରଙ୍ଗଗୁଡା ଗ୍ରାମବାସୀ ଏକଟାଆମ୍ବଗୁଡା ଗ୍ରାମ ଉପରେ ନିର୍ଭର କରନ୍ତି । ଗାଈଗୋରୁଙ୍କ ପାଇଁ ଥିବା ଗୋଚର ଭୂମି ମଧ୍ୟ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ଏଥି ସହ ତିନିଗୋଟି ନବନିର୍ମିତ ପୋଖରୀ ମଧ୍ୟ ବାଦ ପଡୁନାହିଁ ।

ପୂର୍ବରୁ ଗ୍ରାମ ର ପଶ୍ଚିମ ଦିଗରେ ଟ୍ରେନ ଲାଇନ ଯିବାକୁ ସ୍ଥିର ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ଜମି ଉପରେ ଟ୍ରେନ ଲାଇନ ଗଲେ ଗ୍ରାମବାସୀଙ୍କ କୌଣସି ଆପତ୍ତି ନାହିଁ । କାରଣ ସେ ଜମିରେ ଜନବସତି ହିଁ ନାହିଁ । କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ମୂଲ୍ୟବାନ ଜମି ଉପରେ ପୂର୍ବ ନିର୍ଦ୍ଧାରିତ ଲାଇନ ଯାଉଥିବାରୁ ସେମାନଙ୍କ ଚାପ ର ବଶବର୍ତ୍ତୀ ହୋଇ ତାହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ବର୍ତ୍ତମାନ ଚିହ୍ନଟ ହୋଇଥିବା ଜମିରେ ବିଦ୍ୟାଳୟ, ଅଙ୍ଗନବାଡି, ଧାନଖଳା ଓ ବାସଗୃହ ଅଛି । ବାରଙ୍ଗଗୁଡା ଗ୍ରାମରେ ଷାଠିଏ ରୁ ଉର୍ଦ୍ଧ୍ଵ ଘର ରହିଥିବା ବେଳେ ଏକଟାଆମ୍ବଗୁଡା ଗ୍ରାମରେ କୋଡିଏରୁ ଉର୍ଦ୍ଧ୍ଵ ଘର ରହିଛି । ଗ୍ରାମ ର ନିକଟରେ ତିନିଗୋଟି ବଡ଼ ବଡ ଧାନ କଳ ମଧ୍ୟ ରହିଛି । ସବୁ ଦୃଷ୍ଟିରୁ ଅନୁଧ୍ୟାନ କରାଗଲେ ଗ୍ରାମବାସୀ ବାସହରା ଓ ଜମିହୀନ ହେବାକୁ ଯାଉଥିବାରୁ ପରିବାର ଗୁଡିକର ଭବିଷ୍ୟତ ଅନ୍ଧକାରମୟ ହେବ ।

ସମସ୍ୟା ର ସମାଧାନ କେବଳ ପୂର୍ବ ନିର୍ଦ୍ଧାରିତ ପଶ୍ଚିମ ଦିଗରେ ଚିହ୍ନଟ ହୋଇଥିବା ଜମିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରୁଛନ୍ତି । ବର୍ତ୍ତମାନ ଚିହ୍ନଟ ହୋଇଥିବା ଜମିରେ କାର୍ଯ୍ୟ ଆରମ୍ଭ କରାଗଲେ ଦୁଇ ଖଣ୍ଡ ଗ୍ରାମ ର ଜନତା ଏକା ସଙ୍ଗେ ଆତ୍ମାହୁତି କରିବାକୁ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି । କାରଣ ସେମାନଙ୍କ ଅଭିଯୋଗ ପ୍ରକାରେ ଖଟିଖିଆ , ଦରିଦ୍ର, ଦୁଃଖୀ, ଗରୀବଙ୍କ ସ୍ଵର ହେବାକୁ କେହି ନାହାଁନ୍ତି । ଜ଼ିଲ୍ଲାପାଳ ଙ୍କ ଜରିଆରେ ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ମରିବା ଛଡା ଆଉ କିଛି ବାଟ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।