ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ

0
231
ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୪) : ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ । ରାୟଗଡା ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ସହିତ ଜିଲାକୁ ଏକ ଶିଶୁ ମିତ୍ର ଜିଲ୍ଲା ହିସାବରେ ଗଢି ତୋଳିବା ଲକ୍ଷ୍ୟ ନେଇ ପ୍ରଚେଷ୍ଟା ନାମରେ ଏକ ଅଭିଯାନ ଚାଲୁ ରହିଛି ।

ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କ୍ରମେ ଜିଲ୍ଲାରେ ବିଭିନ୍ନ ବିଭାଗ ର ସମନ୍ଵୟ କ୍ରମେ କିଶୋର ଓ କିଶୋରୀ ମାନଙ୍କୁ ସଶକ୍ତ କରିବା, ପାଠ ପଢା ବୟସ ର ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ଏବଂ ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରୁ ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ଜୋର ସୋରରେ ଚାଲୁ ରହିଛି ।

ଅକ୍ଷୟ ତୃତୀୟା ପାଳନ ଏକ ପରମ୍ପରୀ । ପୁଅକୁ ବା ଝିଅକୁ ଏହି ଦିନରେ ବାହା କରିଦେଲେ ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ ବିତିବ ବୋଲି ଭାବି ଅନେକ ବାପା ମାଆ ବା ଅଭିଭାବକ ମାନେ ବାହାଘର ଆୟୋଜନ କରିଥାଆନ୍ତି । ଅକ୍ଷୟ ତୃତୀୟା ପାଳନ ସମୟରେ ଅନେକ ପରିବାରରେ ବିବାହ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ତେଣୁ ଏହି ପ୍ରକ୍ରିୟାରେ ବାଲ୍ୟ ବିବାହ ଘଟଣା ମାନ ଘଟିପାରେ ବୋଲି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଓ ରାଜ୍ୟ ସରକାର ଆଶଙ୍କା ପ୍ରକଟ କରିଛନ୍ତି ।

ତେଣୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାର ସମସ୍ତ ସରପଞ୍ଚ ଓ ନଗର ପାଳିକାର ଅଧ୍ୟକ୍ଷ/ ଅଧ୍ୟକ୍ଷା ମାନଙ୍କୁ ଏହି ଭଳି ଘଟଣା ଗୁଡିକୁ ନଜର ଦେବା ନିମନ୍ତେ ଅନୁରୋଧ କରିଛନ୍ତି । ଏହା ସହିତ ଆଗାମୀ ମଇ ମାସ ୧ ତାରିଖ ଦିନ ପଞ୍ଚାୟତ ମାନଙ୍କରେ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ ସମୟରେ ଗ୍ରାମସଭା ବୈଠକରେ ଏହି ବିଷୟରେ ଆଲୋଚନା କରିବା ସହିତ ପଞ୍ଚାୟତ ଅଞ୍ଚଳରେ ଥିବା ପ୍ରତ୍ୟେକ ମନ୍ଦିର ତଥା ଧାର୍ମିକ ସଂଗଠନ ଗୁଡିକୁ ବାଲ୍ୟ ବିବାହ ଘଟଣା ଗୁଡିକୁ ନଜର ଦେବା ପାଇଁ ଅନୁରୋଧ କରିବାକୁ ସରପଞ୍ଚ ମାନଙ୍କୁ ଅନୁରୋଧ କରିଛନ୍ତି ।

ଗ୍ରାମରେ ହେଉଥିବା ଯେକୌଣସି ବାହାଘରରେ ଉଭୟ ପୁଅ ଓ ଝିଅର ବୟସ ଯାଞ୍ଚ କରିବା ବିଷୟରେ ଗୁରୁତ୍ଵ ଦେବା ସହିତ ପୁଅ ବା ଝିଅ ର ଜନ୍ମ ସାର୍ଟିଫିକେଟ, ବିଦ୍ୟାଳୟ ର ପାଠ ପଢା ସାର୍ଟିଫିକେଟ ହେଉଛି ବୟସ ପ୍ରମାଣ ପାଇଁ ଉପଯୁକ୍ତ ମାଧ୍ୟମ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସେ ତେବେ ନିଜ ବ୍ଲକର ସି.ଡି.ପି.ଓ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ଚାଇଲ୍ଡ ଲାଇନ (୧୦୯୮), ପୋଲିସ (୧୧୨) ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନଜରକୁ ଆଣିବା ପାଇଁ ସମସ୍ତଙ୍କ ପାଖକୁ ସୂଚନା ପଠାଇବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସମସ୍ତ ସରପଞ୍ଚ ଓ ନଗର ପାଳିକାର ଅଧ୍ୟକ୍ଷ/ ଅଧ୍ୟକ୍ଷା ମାନଙ୍କୁ ଅନୁରୋଧ କରିଛନ୍ତି ।

ଆଜି ଜିଲ୍ଲାପାଳ ଶ୍ରୀ ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀ ତଥା ସିଡିପିଓ ମାନଙ୍କୁ ଏହି ସମ୍ବନ୍ଧରେ ଏକ ଚିଠି ପ୍ରେରଣ କରିଛନ୍ତି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।