ଜାମିନ ଖାରଜ, ଜେଲ୍ ଗଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ

0
126
ଜାମିନ ଖାରଜ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ, (୦୨/୦୫) : ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଜେଲ୍ ଗଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ଜାମିନ ଖାରଜ ହେବାରୁ ବିଧାୟକଙ୍କୁ ସାତ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

ସିଜେଏମ କୋର୍ଟରେ ହାଜର ହେବା ପରେ ତାଙ୍କ ଜାମିନ ଖାରଜ ହୋଇଯାଇଥିଲା । ଏବେ ବିଧାୟକଙ୍କୁ ଜେଲ୍ ପଠା ଯାଇଛି । ଏଥିସହ ବିଧାୟକଙ୍କ ଦୁଇ ସହଯୋଗୀ ଅକାଳୁ ଧଳ ଏବଂ କୁଳମଣି ସାହୁଙ୍କୁ ମଧ୍ୟ ଜେଲ୍ ପଠାଯାଇଛି । ଆସନ୍ତା ୭ ରେ ମାମଲା ର ପରବର୍ତ୍ତୀ ଶୁଣାଣି ହେବ ।

ଅନ୍ୟପଟେ ବିଧାୟକ ଗିରଫ ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ବିଜେପି l ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯନ୍ତ ବନ୍ଦ ରହିବ ଦେବଗଡ଼ । ପିଲାଙ୍କ ପରୀକ୍ଷା ଓ ଜରୁରୀକାଳୀନ ସେବାକୁ ବାଦ ଦେଇ ସମସ୍ତ ଦୋକାନ ବଜାର ସହ ଅଖ ଚକ ବନ୍ଦ ରହିବ । ଏଥିସହ ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ଦଳ । ବନ୍ଦ ଡାକରା ସୂଚନା ଦେଇଛନ୍ତି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ ।

ଆଜି ବିଧାୟକଙ୍କୁ ଭୁବନେଶ୍ଵର ରୁ ଗିରଫ କରାଯାଇ ଦେବଗଡ ଅଣାଯାଇଥିଲା । ତେବେ ବାଟରେ ବିଧାୟକ ସୁବାସ ପାଣିଗ୍ରାହୀ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ରିଆମାଳ ବ୍ଲକ ଅନ୍ତର୍ଗତ ଛତାବର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଟିକେ ସୁସ୍ଥ ଅନୁଭବ କରିବା ପରେ ପୋଲିସ ତାଙ୍କୁ ଧରି ଦେବଗଡ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଥିଲା । ବିଧାୟକ ଏବଂ ବିଡିଓ ବିବାଦ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । ପୋଲିସ ର କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ ଦେବଗଡ ଆଦର୍ଶ ଥାନା ସମ୍ମୁଖରେ ବିଜେପିର କର୍ମୀ, ନେତା ଏବଂ ବିଧାୟକ ଧାରଣା ଦେଇଛନ୍ତି । ଏଥିରେ ୩ ବିଧାୟକ ଏବଂ ଜଣେ ପୂର୍ବତନ ବିଧାୟକ ସାମିଲ୍ ହୋଇଛନ୍ତି । ବିଧାୟକଙ୍କ ମଧ୍ୟରେ ଅଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝୀ, ସୁନ୍ଦରଗଡ ବିଧାୟକ କୁସୁମ ଟେଟେ, ତଲସରା ବିଧାୟକ ଭବାନୀ ଭୋଇ ଏବଂ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାୟକ । ତିଳେଇବଣି ବିଡିଓଙ୍କ ଗିରଫ ଦାବି କରିଛି ବିଜେପି ।