ବିଶିଷ୍ଟ ସାହିତ୍ୟିକ ତଥା ଭାଷ୍ୟକାର ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

0
140
ବିଶିଷ୍ଟ ସାହିତ୍ୟିକ

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୯/୦୫) : ଆରପାରିରେ ବିଶିଷ୍ଟ ସାହିତ୍ୟିକ ତଥା ଭାଷ୍ୟକାର ପଦ୍ମଶ୍ରୀ ରଜତ କର । ପୁରୀ ସ୍ୱର୍ଗଦ୍ୱାରରେ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ପଦ୍ମଶ୍ରୀ ରଜତ କରଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହେବ ।

ଗତକାଲି ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ହୃଦଘାତ ହେବା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି । ସେ ଏକାଧାରରେ ଜଣେ ବିଶିଷ୍ଟ ସାହିତ୍ୟିକ, ଭାଷ୍ୟକାର, ବ୍ୟାଖାକାର ଥିଲେ । ୧୯୫୯ ରୁ ୨୦୨୧ ପର୍ଯ୍ୟନ୍ତ ଦୂରଦର୍ଶନରେ ପବିତ୍ର ରଥଯାତ୍ରା ର ଧାରାବିବରଣୀ ପ୍ରଦାନ କରିଥିଲେ ।

ଜଗନ୍ନାଥ ସଂସ୍କୃତିର ଗବେଷକ ଓ ଭଞ୍ଜ ସାହିତ୍ୟର ସେ ଜଣେ ବିଶିଷ୍ଠ ବ୍ୟାଖାକାର ଥିଲେ । ଏପରିକି ଆମେରିକାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଉପେନ୍ଦ୍ର ସାହିତ୍ୟ ଉପରେ ୫୦ ଥର ଲେକଚର ଦେଇଥିଲେ । ଜଗନ୍ନାଥଙ୍କ ଉପରେ ତାଙ୍କର ଅନୁଭବକୁ ନେଇ ପୁସ୍ତକ ଲେଖିଛନ୍ତି । ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୨୦୨୧ ରେ ସେ ପଦ୍ମ ସମ୍ମାନରେ ସମ୍ମାନୀତ ହୋଇଥିଲେ ।

ପ୍ରବୀଣ ଶିକ୍ଷାବିତ୍, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ତାଙ୍କର ବିଶେଷ ଖ୍ୟାତି ରହିଥିଲା । ବର୍ଷ ବର୍ଷ ଧରି ଆକାଶବାଣୀ ଓ ଟିଭିରେ ରଥଯାତ୍ରା ଧାରାବିବରଣୀ ପ୍ରଦାନ କରି ଓଡ଼ିଶା ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି ।

୧୯୩୪ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ଅର୍ଥନୀତିରେ ସ୍ନାତକୋତର ଶିକ୍ଷା ଲାଭ କରିବା ପରେ ଜଣେ ଶିକ୍ଷାବିତ୍ ଭାବେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ଜଗନ୍ନାଥ ଧର୍ମ ଓ ସଂସ୍କୃତିକୁ ସେ ଅନେକ ସାହିତ୍ୟ ରଚନା କରିଛନ୍ତି । ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି । ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ଓ ସଂସ୍କୃତି ପାଇଁ ତାଙ୍କର ବହୁମୁଖୀ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ତାଙ୍କର ଅବଦାନ ଅକଳ୍ପନୀୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ହେବ ।