ନୀରଜ ଚୋପ୍ରା ଙ୍କ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପଛରେ ରହିଛି ଓଡ଼ିଶାର ଅବଦାନ

0
196

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୮/୦୮) : ପ୍ରଥମ ଥର ପାଇଁ ଅଲମ୍ପିକ୍ସ ଆଥଲେଟିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଏହି ଖେଳାଳି । ସ୍ୱାଧୀନତା ପୂର୍ବରୁ ଏବଂ ପରେ ମଧ୍ୟ ଆଥଲେଟିକ୍ସରେ ଭାରତ ଯାହା କରି ପାରି ନ ଥିଲା ଆଜି ନୀରଜ ସେକଥା କରି ଦେଖାଇଛନ୍ତି ।

ସେ ଜାଭେଲିନ ଥ୍ରୋ ଇଭେଣ୍ଟରେ ସିଧା ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି । ନୀରଜ ଚୋପ୍ରା ଙ୍କ ସ୍ୱର୍ଣ୍ଣ ଭାରତର ମେଡାଲ ଟାଲିକୁ ୭ରେ ପହଞ୍ଚାଇଛି । ଅଲିମ୍ପିକ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ପଦକ ଜିତି ପାରିଛି । ୨୦୧୨ରେ ଦେଶ ସର୍ବାଧିକ ୬ଟି ପଦକ ଜିତିଥିଲା । କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାରତ ଦୁଇଟି ରୌପ୍ୟ, ୪ଟି ବ୍ରୋଞ୍ଜ ଓ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛି ।

ତେବେ ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ଯାତ୍ରା ଆଦୌ ସହଜ ନଥିଲା । ସେ ପ୍ରଶିକ୍ଷଣ ସମୟରେ ବାରମ୍ବାର ଆହତ ହେଉଥିଲେ । ଏଥିପାଇଁ ତାଙ୍କୁ ଅଲିମ୍ପିକ୍ସରେ ଯୋଗଦାନକୁ ନେଇ ସନ୍ଦେହ ବି ପ୍ରକାଶ ପାଇଥିଲା । ତଥାପି ସେ ହାର ମାନି ନଥିଲେ । ଅଲିମ୍ପିକ୍ସ ପାଇଁ ସେ ଓଡ଼ିଶାର ଭୁବନେଶ୍ୱରେ ହିଁ ଟ୍ରେନିଂ ନେଇଥିଲେ । ଏଠାରେ ରହି ରିହ୍ୟାବ କରିବା ପରେ ସେ ଅଲିମ୍ପିକ୍ସକୁ ଯାଇଥିଲେ ।

କଲେଜରେ ପଢିବା ସମୟରେ ସେ ଖେଳ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପାଠ ପଢି ଚାକିରି କରିବା ସହ ଖେଳରେ ମଧ୍ୟ ଧ୍ୟାନ ଦେଉଥିଲେ । ପୂର୍ବରୁ ସେ ଅନେକ ବିଶ୍ୱସ୍ତରୀୟ ଇଭେଣ୍ଟରେ ନିଜର ଜଲୱା ଦେଖାଇ ସାରିଛନ୍ତି ନୀରଜ । ୨୦୧୬ ଦକ୍ଷିଣ ଏସିଆ ଗେମ୍ସରେ ସେ ୮୨.୮୩ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୧୬ ଅଣ୍ଡର-୨୦ ଚାମ୍ପିୟନଶିପରେ ବି ସେ ସୁନା ଜିତିଥିଲେ । ଏଥିସହ ସେ ଜୁନିୟର ବର୍ଗରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ।

ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଥିଲେ ହେଁ ନୀରଜ ୨୦୧୬ ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ କରିପାରି ନଥିଲେ ମଧ୍ୟ ଚେଷ୍ଟା ଜାରି ରଖିଥିଲେ । ସେ ୨୦୧୭ରେ ୮୫.୨୩ ମିଟରର ଥ୍ରୋ କରି ଏସିଆନ ଆଥଲେଟିକ ଚାମ୍ପିୟନଶିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୬.୪୭ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ି ନୂଆ ରେକର୍ଡ କରିଥିଲେ ।

ଏହି ପ୍ରଦର୍ଶନ ବଳରେ ସେ କେବଳ ସ୍ୱର୍ଣ୍ଣ ଜିତି ନଥିଲେ ବରଂ ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଜାଭେଲିନ ଥ୍ରୋ ଇଭେଣ୍ଟରେ ପଦକ ହାସଲ କରିଥିଲେ ।

୨୦୧୮ ମେ’ ମାସରେ ନୀରଜ ଦୋହା ଡାଇମଣ୍ଡ ଲିଗ୍ରେ ପୁଣି ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ । ଏହି ଇଭେଣ୍ଟରେ ସେ ୮୭.୪୩ ମିଟର ଦୂରତାକୁ ଜାଭେଲିନ ଫୋପାଡ଼ିଥିଲେ । କ୍ରୀଡ଼ା ଜଗତରେ ନୀରଜ ହାସଲ କରିଥିବା ସଫଳତା ପାଇଁ ତାଙ୍କୁ ୨୦୧୮ରେ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

୨୦୧୮ ଏସିଆନ ଗେମ୍ସରେ ସେ ୮୮.୦୬ ମିଟର ଥ୍ରୋ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ । ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଆଜି ସେ ସ୍ୱର୍ଣ୍ଣ ଜିତିଥିଲେ ହେଁ ତାଙ୍କ ଜାଭେଲିନ ୮୭.୫୮ ମିଟର ଦୂରତାକୁ ଯାଇଥିଲା ।