ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ପାଇଁ ହଇରାଣ ହେଉଛନ୍ତି ଲୋକେ : ଏମ୍ସରେ ମିଳୁନି ସୁବିଧା

0
260

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୮/୦୮) : ଭୁବନେଶ୍ୱରରେ ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହାୟତା ପାଇଁ ଲୋକେ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ଦିନ ଦିନ ଧରି ଅପେକ୍ଷା କରିବା ପରେ ମଧ୍ୟ ଏହି ଯୋଜନାରୁ ସୁବିଧା ପାଇବା ପାଇଁ ବଞ୍ଚିତ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଏଥିଯୋଗୁଁ ଅନେକ ଆବେଦନ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପ୍ରତିଦିନ ଆବେଦକଙ୍କ ସଂଖ୍ୟା ଶହେରୁ ଅଧିକ ରହୁଥିଲେ ମଧ୍ୟ ପାଉଛନ୍ତି ମାତ୍ର ୧୦ରୁ ୧୨ ରୋଗୀ । ମାର୍ଚ୍ଚ ମାସରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାନୁଆଲ ଆପ୍ଲିକେସନ ଗ୍ରହଣ ପ୍ରକ୍ରିୟା ବନ୍ଦ କରାଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଟୋକନ୍ ମିଳୁଥିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ନାକେଦମ୍ ହୋଇ ପଡ଼ୁଛନ୍ତି ।

ବରଗଡ଼ ଜିଲ୍ଲାର ତରୁଣ ମଲ୍ଲିକଙ୍କ ଅଣ୍ଟା ହାଡ଼ ଭାଙ୍ଗିଯିବାରୁ ଗୁରୁତର ଅବସ୍ଥାରେ ବୁଧବାରଠାରୁ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ପରିବାର ଦାରିଦ୍ର୍ୟ ସୀମାରେଖା ତଳର । ୧୦ ହଜାର ଟଙ୍କା ମଧ୍ୟ ସେମାନଙ୍କ ପାଇଁ ବହୁ ବଡ଼ କଥା । ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତରେ ବେଲ୍ଟ ସମେତ ଅନ୍ୟାନ୍ୟ ସୁବିଧା ପାଇଁ ଗୁରୁବାର ସଂଧ୍ୟା ୫ଟାରୁ ତାଙ୍କ ଭାଇ ଧାଡ଼ିରେ ଛିଡ଼ା ହୋଇଛନ୍ତି । ଶୁକ୍ରବାର ଦିନତମାମ ଅପେକ୍ଷା ପରେ ମଧ୍ୟ ତାଙ୍କ ପାଳି ଆସିଲା ନାହିଁ । ଶନିବାର ଅଧା ଦିନ କାର୍ଯ୍ୟ ହେବ, ତେଣୁ କେବଳ ୬ ଜଣଙ୍କ ପାଳି ପଡ଼ିବ ବୋଲି କୁହାଯାଉଛି । କେବଳ ତରୁଣ ନୁହଁନ୍ତି, ଏମ୍ସରେ ଚିକିତ୍ସାଧୀନ ସବୁ ଗରିବ ବିଜୁ ସ୍ୱାସ୍ଥ୍ୟ ଯୋଜନା ହିତାଧିକାରୀ ଏହିଭଳି ହନ୍ତସନ୍ତ ହେଉଛନ୍ତି ।

ଏହି ସମସ୍ୟାକୁ ଏମ୍ସ କର୍ତ୍ତୃପକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି । ଏହି ସମସ୍ୟା ସମାଧାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖାଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି । ଏମ୍ସ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ବାର୍ଷିକ ୪୦ ହଜାର ଟଙ୍କା ଆୟ ଥିବା ବ୍ୟକ୍ତି କିମ୍ବା ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ଥିଲେ ନିଃଶୁଳ୍କ ବିଭିନ୍ନ ପ୍ରକାର ଔଷଧ, ଚିକିତ୍ସା ଉପକରଣ ପାଇଥାଆନ୍ତି । ଏଥିପାଇଁ ଏମ୍ସରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଡେସ୍କ କାର୍ଯ୍ୟ କରୁଛି । ଏଥିରେ ଜଣେ ସ୍ୱାସ୍ଥ୍ୟମିତ୍ର ନିଯୁକ୍ତ ଅଛନ୍ତି । ପୂର୍ବରୁ ଦସ୍ତାବିଜ ସହିତ ଆବେଦନପତ୍ର ମାନୁଆଲ (ହାତ)ରେ ଗ୍ରହଣ ହୋଇ, ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦିଆଯାଉଥିଲା । ଏଥିଯୋଗୁଁ ଦୈନିକ ୪୦ରୁ ୫୦ ରୋଗୀ ଏହି ଯୋଜନାରେ ଲାଭାନ୍ୱିତ ହେଉଥିଲେ । ମାର୍ଚ୍ଚ ମାସରେ ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ବନ୍ଦ କରି ଦେଇଛନ୍ତି ।

ପୋର୍ଟାଲ ଜରିଆରେ ଏବେ ଆବେଦନ ଗ୍ରହଣ ହେଉଛି । ଏହି ଯୋଜନାରେ ଅନେକ ସଂଖ୍ୟକ ଦସ୍ତାବିଜ ଆବଶ୍ୟକ । ତେଣୁ ଜଣେ ବ୍ୟକ୍ତି ଗୋଟିଏ ସିଷ୍ଟମରେ ଏତେ ସଂଖ୍ୟକ ଦସ୍ତାବିଜ ଦାଖଲ କରିବା ବେଳକୁ ସମୟ ଅଣ୍ଟୁ ନାହିଁ । ସକାଳୁ-ସଂଧ୍ୟା ପର୍ଯ୍ୟନ୍ତ କେବଳ ୧୦ରୁ ୧୨ ଜଣଙ୍କ ଦସ୍ତାବିଜ ଗ୍ରହଣ ହୋଇ ପାରୁଛି । ଏଥିପାଇଁ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟମିତ୍ର ନିଯୁକ୍ତି ଏବଂ ଅଧିକ କମ୍ପ୍ୟୁଟର ତଥା ପୋର୍ଟାଲ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରାଯାଇଛି । ସେମାନେ ଏହା ଉପରେ ଦୃଷ୍ଟି ଦେଲେ, ସମସ୍ୟାର ସମାଧାନ ହୋଇ ପାରିବ ।

ସୂଚନାଯୋଗ୍ୟ, ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ବେଳେ ରାଜ୍ୟ ସରକାର ଘରୋଇ ଡାକ୍ତରଖାନା ଭଳି ଏମ୍ସ ପ୍ରତି ସମାନ ଆଭିମୁଖ୍ୟ ରଖିଛନ୍ତି । ସେମାନେ ମଧ୍ୟ ଏହି କାର୍ଡ ଜରିଆରେ ସହାୟତା କରୁ ନାହାନ୍ତି । ଏମ୍ସରେ ସମୁଦାୟ ୯୮୦ ରୋଗୀ ଭର୍ତ୍ତି ହୋଇପାରିବେ । ଏଠାରେ ମୁଖ୍ୟତଃ ଗରିବ ପରିବାରର ରୋଗୀ ଆସନ୍ତି । କିନ୍ତୁ ଏମାନଙ୍କ ପାଇଁ ଥିବା ସହାୟତା ନ ମଳିପାରିବାରୁ ସେମାନେ ଏବେ ଚିନ୍ତାରେ ଅଛନ୍ତି ।