ଆଜି ଖୋଲିବ ଭାଗ୍ୟ : କିଏ ହେବେ ଦେଶ ର ମହାମହିମ ?

0
181
ଆଜି ଖୋଲିବ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୭) : ଖୋଲିବ ବାଲଟ୍ ବକ୍ସ । ଆଜି ଖୋଲିବ ଭାଗ୍ୟ । ଦେଶ ପାଇବ ତା’ର ପଞ୍ଚଦଶ ରାଷ୍ଟ୍ରପତି । ତେବେ କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିପକ୍ଷ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ?

ଜୁଲାଇ ୧୮ ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା । ଏହାପରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଦେଶ ର ୩୦ ଟି ମତଦାନ କେନ୍ଦ୍ରରୁ ବାଲଟ୍ ବକ୍ସ ସଂସଦ ଭବନରେ ପହଞ୍ଚି ସାରିଛି । କଡ଼ା ସୁରକ୍ଷାରେ ଏହି ବକ୍ସ ସବୁ ରହିଛି । ଆଜି ଖୋଲିବ ଭାଗ୍ୟ । ଆଜି ସକାଳ ୧୧ ଟାରେ ପାର୍ଲାମେଣ୍ଟ ହାଉସ ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମରେ ଆରମ୍ଭ ହେବ ଭୋଟ ଗଣତି ।

ଭୋଟ ଗଣତି ବେଳେ ନିଜେ ପ୍ରାର୍ଥୀ ଓ ତାଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ଉପସ୍ଥିତ ରହିପାରିବେ । ଏହାଛଡ଼ା ଭାରତ ର ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ଅବଜରଭର, ପିଆଇବି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ତଥା ନିର୍ବାଚନ କମିଶନଙ୍କ ଅନୁମତିପତ୍ର ପାଇଥିବା ସାମ୍ବାଦିକ ମଧ୍ୟ ଗଣତି କେନ୍ଦ୍ରରେ ରହିପାରିବେ । ଭୋଟ ଗଣତି ଶେଷ ହେବା ମାତ୍ରେ ଫଳାଫଳ ଘୋଷଣା ହେବ । ଏପରିକି ଫଳାଫଳକୁ ରାଜ୍ୟସଭା ୱେବସାଇଟ୍‌ରେ ରାଷ୍ଟ୍ରପତି ନିର୍ବାଚନ ଲିଙ୍କରେ ଅପଲୋଡ୍ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ରିଟର୍ଣ୍ଣିଂ ଅଫିସର ପି ସି ମୋଦି ।

ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ସେ ହେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ହେବା ନେଇ କାହା ମନରେ ସନ୍ଦେହ ନ ଥିବା ବେଳେ ସେ କେତେ ଭୋଟ୍‌ରେ ଜିତିବେ ତାହା ଗୁରୁବାର ଗଣତି ପରେ ହିଁ ଜଣାପଡ଼ିବ । କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବାକୁ ଥିବା ବେଳେ ନୂଆ ରାଷ୍ଟ୍ରପତି ଜୁଲାଇ ୨୫ ରେ ଶପଥ ନେବେ । ଏହି ଖୁସିରେ ରାଇରଙ୍ଗପୁରରେ ଆରମ୍ଭ ହୋଇଗଲାଣି ଉତ୍ସବ ପାଳନ ପ୍ରସ୍ତୁତି । ବିଜୟ ଉତ୍ସବ ର ପ୍ରସ୍ତୁତି ସ୍ୱରୂପ ରାଇରଙ୍ଗପୁର ଧର୍ମଶାଳରେ ତିଆରି ଚାଲିଛି ମିଠା ପିଠା ।