ବାକି ଶୁଝି ପାରିଲେନି ସରକାର : ଜିନିଷ ବୋହି ନେଲା କମ୍ପାନୀ

0
202
ବାକି ଶୁଝି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୭) : ୧୨୦ କୋଟି ଟଙ୍କା ବାକି ଶୁଝି ପାରିଲେନି ସରକାର । ଶେଷରେ ସରକାରୀ ଅଫିସରୁ ଦରକାରୀ ଉପକରଣ ନେଇଗଲା ସମ୍ପୃକ୍ତ କମ୍ପାନୀ । ଏଥି ନିମନ୍ତେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉପସ୍ଥିତ ଥିଲା ପୁଲିସ୍‌ ।

ଏପରି ଏକ ଘଟଣା ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଏହା କୌଣସି ଛୋଟ ମୋଟ କମ୍ପାନୀ କି କାର୍ଯ୍ୟାଳୟ ର ମାମଲା ନୁହେଁ । ଏଲଆଣ୍ଡଟି ଭଳି ଏକ ବଡ଼ ଘରୋଇ ନିର୍ମାଣକାରୀ କମ୍ପାନୀ ସରକାର ବାକି ଶୁଝି ପାରି ନ ଥିବାରୁ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଫିସରେ ପଶି ଏସି, କମ୍ପ୍ୟୁଟର, ଆଲମାରୀ ଓ ଟେବୁଲ ଆଦି ସାମଗ୍ରୀ ନେଇଯାଇଛି ।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଉପରେ ଏଲଆଣ୍ଡଟି ର ୧୨୦ କୋଟି ଟଙ୍କା ବାକି ପଡିଛି । ୨୦୦୪ ରେ ସମ୍ବଲପୁରରୁ ରାଉରକେଲା ସଂଯୋଗ କରୁଥିବା ରାଜପଥ ନିର୍ମାଣ ପାଇଁ ଏଲଆଣ୍ଡଟିକୁ ୨୦ କୋଟି ଟଙ୍କା ଆରଆଣ୍ଡବି ବିଭାଗ ଦେବା ପାଇଁ ଫଇସଲା ହୋଇଥିଲା । ଟଙ୍କା ନ ଦେବା ପାଇଁ ସରକାର ଜିଲ୍ଲା ଜଜ୍‌ଙ୍କ ଠାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ହେଲେ ସୁପ୍ରିମକୋର୍ଟ ମାମଲା ଖାରଜ କରି ଦେଇଥିଲେ ।

ସୁଧ ମୂଳ ମିଶି ୧୨୦ କୋଟି ହେବା ପରେ ମଧ୍ୟ ସରକାରଙ୍କ ଚେତା ପଶିଲା ନାହିଁ । ଶେଷରେ ଖୋର୍ଦ୍ଧା ବାଣିଜ୍ୟ କର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ କର୍ମଚାରୀମାନେ ଆସି ୯ ଟି ଏସି , ୧୮ ଟି କମ୍ପ୍ୟୁଟର, ୧୫ଟି ଆଲମୀରା ଓ ୯ଟି ଟେବୁଲ ଜବତ କରି ନେଇ ଯାଇଛନ୍ତି । ଏ ନେଇ କୌଣସି ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ମିଳିନାହିଁ ।