ଚୁକ୍ତି ଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଦାବିରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ

0
167
ଚୁକ୍ତି ଭିତ୍ତିକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୪/୭) : ଆଜି ରାୟଗଡ଼ା ଜିଲ୍ଲା ଗୁଣୁପୁର ସହର ର ଟାଉନ ହଲ ଠାରେ ଶତାଧିକ ଚୁକ୍ତି ଭିତ୍ତିକ ମହିଳା ଓ ପୁରୁଷ କର୍ମଚାରୀ ମାନେ ଉପସ୍ଥିତ ହୋଇ ଉପଖଣ୍ଡ ସ୍ତରୀୟ ଦସ୍ତଖତ ଅଭିଯାନ ର ଶୁଭାରମ୍ଭ କରିଥିଲେ ।

ରାଜ୍ୟ ସରକାରଙ୍କ କୁତ୍ସିତ ଚୁକ୍ତି ଭିତ୍ତିକ ନିଜୁକ୍ତି ନିୟମ ସମ୍ପୁର୍ଣ୍ଣ ବନ୍ଦ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆର୍ଥିକ ଵଜେଟ କମ ଥିବା କାରଣରୁ ସରକାର ଏହି ଚୁକ୍ତି ଭିତ୍ତିକ ନିଯୁକ୍ତି ଆରମ୍ଭ କରିଥିଲେ । କିନ୍ତୁ ବର୍ତ୍ତମାନ ସରକାର ଘୋଷଣା କରିଛନ୍ତି କି ଏବେ ଆଉ ନିଅଣ୍ଟିଆ ବଜେଟ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ନିଅଣ୍ଟିଆ ବଜେଟ ନାହିଁ ତେବେ ସରକାର କାହିଁକି ଚୁକ୍ତି ଭିତ୍ତିକ ନିଯୁକ୍ତି କରୁଛନ୍ତି ? ଠିକା କର୍ମଚାରୀମାନେ ନିଜ ନିଜର ସମସ୍ୟା ବଖାଣିବା ସହ ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଥିଲେ ।

ମୁଖ୍ୟତଃ ତିନିଗୋଟି ମୁଖ୍ୟ ଦାବି ନେଇ ଆଜିର ଏହି ଦସ୍ତଖତ ଅଭିଯାନ ର ଶୁଭାରମ୍ଭ ହୋଇଥିଲା । ମୁଖ୍ୟତଃ ରାଜ୍ୟ ସରକାର ତୁରନ୍ତ ଠିକା ବା ଚୁକ୍ତିଭିତ୍ତିକ ପ୍ରଥା ସମ୍ପୁର୍ଣ୍ଣ ଭାବେ ବନ୍ଦ କରନ୍ତୁ, ଚୁକ୍ତିଭିତ୍ତିକ କାର୍ଯ୍ୟକାଳ ଛଅ ବର୍ଷ ପରେ ଯେତେବେଳେ ରେଗୁଲାର ହେଉଛନ୍ତି ସେହି ଛଅ ବର୍ଷ ର ସର୍ଭିସ ପିରିୟଡ଼କୁ ସରକାର କାଉଣ୍ଟକୁ ନିଅନ୍ତୁ ଓ ସରକାର ଯେଉଁ ନିୟମ ଲାଗୁ କରିଥିଲେ ବେସିକ ପେ ୨୧୭୦୦ ଓ ୩୫୪୦୦ ଆର୍ଥିକ ଲାଭ ତାହା ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ତୁରନ୍ତ ଦିଆଯାଉ ।

ସରକାରଙ୍କ ଏହି ଠିକା କର୍ମଚାରୀ ମାନଙ୍କୁ ବାରମ୍ବାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ଯାଏଁ କାର୍ଯ୍ୟକାରି ହୋଇ ନଥିବାରୁ ଆଜିର ଏହି ଦସ୍ତଖତ ଅଭିଯାନ ମାଧ୍ୟମରେ ଆନ୍ଦୋଳନ ଆରମ୍ଭ ହୋଇଥିବା କର୍ମଚାରୀ ମାନେ କହିଛନ୍ତି । ଆଗାମୀ ଦିନରେ ଭୁବନେଶ୍ଵର ଠାରେ ରାଜ୍ୟ ସଭାପତି ବିଜୟ ଭାଇଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଏକ ଗର୍ଜନ ସମାବେଶ ର ଆୟୋଜନ କରି ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯିଵ ବୋଲି କର୍ମଚାରୀ ମାନେ କହିଛନ୍ତି ।

ତଥାପି ଯଦି ସରକାରଙ୍କ ନିଦ ନ ଭାଙ୍ଗେ ତେବେ ରାଜ୍ୟ ର ସମସ୍ତ କାର୍ଯ୍ୟାଳୟରେ ଥିବା ଠିକା କର୍ମଚାରୀ ମାନଙ୍କୁ ନେଇ କଲମଛାଡ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି । ତେବେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁଛି ଓ ଏହି କର୍ମଚାରୀ ମାନେ କେଵେ ନିଜ ଅଧିକାର ପାଇବାରେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା ।