ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଦୁର୍ନୀତି ଅଭିଯୋଗ : ୧୧ରେ ବ୍ଲକ ସମ୍ମୁଖରେ ଗଣ ଅନଶନ

0
215

ରିପୋର୍ଟ : ଦେବଦତ୍ତ ରଥ
ଭଦ୍ରକ,(୦୯/୦୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ମସିହା ପୂର୍ବରୁ ସମସ୍ତଙ୍କୁ ପକ୍କା ଗୃହ ଯୋଗାଇବାର ଲକ୍ଷ୍ୟ ରଖି ଓଡ଼ିଶାକୁ ପର୍ଯ୍ୟାପ୍ତ ଘର ଯୋଗାଇ ଦେଇଛନ୍ତି । ଏହା ମଧ୍ୟରେ ରାଜ୍ୟକୁ ପ୍ରାୟ ୩୦ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଆବାସ ଗୃହ ଯୋଗାଇ ଦିଆଯାଇଛି ।

ବାତ୍ୟା ‘ୟାଶ’ ପରେ ଓଡ଼ିଶାକୁ ୮ଲକ୍ଷ ୧୭ ହଜାର ୪୪୪ ଆବାସ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାକୁ ୬୮ହଜାର ୨୦୮ ଆବାସ ମିଳିଛି । ମାତ୍ର କ୍ଷମତାସୀନ ଦଳର ଷଡ଼ଯନ୍ତ୍ର ଓ ପ୍ରଶାସନର ଅପାଗରତା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି କରାଯାଇଥିବାରୁ ପ୍ରକୃତ ଯୋଗ୍ୟ ବ୍ୟକ୍ତି ତାଳିକାରୁ ବାଦ ପଡିଛନ୍ତି ।

ଚାଳ ଛପରକୁ ମରାମତ କରିବାକୁ ଅକ୍ଷମ ପରିବାରକୁ ତାଳିକାଯୁକ୍ତ କରାଯାଇ ନଥିବା ବେଳେ ଦୁଇ ମହଲା କୋଠାଘର ଥିବା ଲୋକଙ୍କୁ ଆବାସ ଯୋଜନାରେ ହିତାଧିକାରୀ ଭାବେ ଚୟନ କରାଯାଇଥିବା ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ନେତା ବଦ୍ରୀ ନାରାୟଣ ଧଳ କହିଛନ୍ତି । ଏହାକୁ ନେଇ ଆସନ୍ତା ୧୧ ତାରିଖରେ ବ୍ଲକ ସମ୍ମୁଖରେ ଦଳ ପକ୍ଷରୁ ଗଣ ଅନଶନ କରାଯିବ ଏବଂ ଏହି ଗଣ ଅନଶନରେ ତାଳିକାରୁ ବାଦ ପଡ଼ିଥିବା ଗରିବ ଲୋକେ ମଧ୍ୟ ଅଂଶ ଗ୍ରହଣ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ପାହିମହୁରା କଲ୍ୟାଣମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ରଙ୍କ ସମେତ ମଣିକାଞ୍ଚନ ସେନାପତି, କମଳ କୁମାର ନନ୍ଦ, ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ବାବାଜି ଚରଣ ଜେନା, ପୂର୍ଣରନ୍ଦ୍ର ଖିଲାର ଏବଂ ପ୍ରଦ୍ୟୁମ୍ନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।