ଗୁଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ଗଣ ପ୍ରତିବାଦ

0
176
ଗୁଣପୁର ତହସିଲ କାର୍ଯ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୪/୦୯) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ଶତାଧିକ ପୁରୁଷ ଓ ମହିଳା ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗୁଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ର ଆୟୋଜନ କରାଯାଇଥିଲା ।ଗୁଣପୁର ତହସିଲ କାର୍ଯ୍ୟାଳୟ

ଗୁଣପୁର ତହସିଲ କାର୍ଯ୍ୟାଳୟ କୁ ଯାଇ ୧୨ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ଆଦିବାସୀ ମାନଙ୍କର ହକ ପାଇଁ ବାରମ୍ବାର ପ୍ରତିବାଦ ସଭା, ଗଣ ଧାରଣା ସହ ଦାବି ପତ୍ର ପ୍ରଦାନ କରାଯାଉଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉନଥିବାରୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର କେନ୍ଦ୍ର କମିଟି ସଭ୍ୟ ତ୍ରିପତୀ ଗମାଙ୍ଗ କ୍ଷୋଭ ପ୍ରକାଶ କରିଛନ୍ତି ।

ଦେଶ ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଆଦିବାସୀ ସମ୍ପ୍ରଦାୟ ନିଜ ଅଧିକାର ଜମି, ଜଳ, ଜଙ୍ଗଲ, ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବନ ଜୀବିକା, ଖାଦ୍ୟ ସୁରକ୍ଷା, ପାନୀୟ ଜଳ ଆଦି ପାଇଁ ସଂଘର୍ଷ କରୁଛନ୍ତି । ସରକାର ଏହାକୁ କର୍ପୋରେଟ ହାତକୁ ଟେକିଦେଇଥିବାରୁ ସେମାନେ ଆଦିବାସୀ ମାନଙ୍କୁ ଜଙ୍ଗଲ ଓ ଜମିରୁ ବେଦଖଲ କରୁଛନ୍ତି । ଫଳରେ ଆଦିବାସୀ ମାନଙ୍କର ଜୀବନ ଜୀବିକା ଅସୁରକ୍ଷିତ ହୋଇଉଠିଛି । ନିଜର ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାକୁ ଆଜି ଏହି ଆଦିମ ଆଦିବାସୀ ମାନେ ସଂଘର୍ଷମୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର କର୍ମକର୍ତ୍ତା ମାନେ ମତ୍ତ ପ୍ରକାଶ କରିଛନ୍ତି ।WhatsApp Image 2022 09 04 at 11.54.16 AM ଗୁଣପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ତରଫରୁ ଗଣ ପ୍ରତିବାଦ

ସରକାରଙ୍କ ନିକଟରେ ରଖିଥିବା ୧୨ ଦଫା ଦାବି ମଧ୍ୟରେ ଗ୍ରାମିଣ ମୁଲିଆ ମାନଙ୍କୁ ଇନ୍ଦିରା ଆବାସ ବାବଦକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ପ୍ରଦାନ, ଏମ ଜି ଏନ୍ ଆର୍ ଜି ଏ ଯୋଜନାରେ ବର୍ଷକୁ ୨୦୦ ଦିନ ର କାମ ଯୋଗାଇବା, ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୦ ପ୍ରତ୍ୟାହାର କରିବା, ଗୁଣପୁର ବ୍ଲକର ଚାଲକମ୍ବା ଗ୍ରାମରେ ବେଆଇନ ଭାବେ ସରକାରୀ ଜମିକୁ ଅଣ ଆଦିବାସୀ ମାନଙ୍କ ଦଖଲରୁ ଫେରାଇ ଆଣି ଆଦିବାସୀ ମାନଙ୍କୁ ପ୍ରଦାନ କରିବା, ରେଜିଙ୍ଗତାଲ ଓ ଲୁଙ୍ଗୁରତାଲ ଗ୍ରାମରେ ଭୋଗ ଦଖଲରେ ଥିବା ଘର, ଡଙ୍ଗର ଓ ସରକାରୀ ଜମିକୁ ସେମାନଙ୍କ ନାମରେ ପଟ୍ଟା ପ୍ରଦାନ କରିବା, ପୁଟାସିଙ୍ଗ ନାମରେ ନାମିତ କରାଯାଇଥିବା ସମସ୍ତ କାର୍ଯ୍ୟାଳୟକୁ ପୁଟାସିଙ୍ଗ ସଦର ମହକୁମାରେ ସ୍ଥାପନ କରିବା ଆଦି ମୁଖ୍ୟ ଦାବି ନେଇ ଆଜି ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଗଣ ପ୍ରତିବାଦ କାର୍ଯ୍ୟକ୍ରମକୁ ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର କେନ୍ଦ୍ର କମିଟି ସଭ୍ୟ ତ୍ରିପତୀ ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନାସିମ ଶବର, କୈଳାସ ଶବର, ରାଇନା ଶବର, ବୃନ୍ଦାବନ ବିଡିକା, ମଜେଶ ଶବର ପ୍ରମୁଖ ସହଯୋଗ କରିଥିଲେ । ତେବେ ସରକାର, ଆଦିବାସୀ ସଂଘର୍ଷ ମୋର୍ଚ୍ଚା ର ଏହି ଦାବି ଗୁଡ଼ିକୁ କେତେ ଗୁରୁତ୍ୱ ଦେଉଛନ୍ତି ଦେଖିବାକୁ ବାକି ରହିଲା ।