ପ୍ରସିଦ୍ଧ ବଳିଯାତ୍ରା ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇ ନାହିଁ

0
117
ପ୍ରସିଦ୍ଧ ବଳିଯାତ୍ରା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୯) : ସୁବର୍ଣ୍ଣପୁରରେ ପାରମ୍ପରିକ ରୀତିନୀତିରେ ରାଜା ରାଜୁଡା ସମୟରୁ ପ୍ରସିଦ୍ଧ ବଳିଯାତ୍ରା ଆୟୋଜନ ହୋଇ ଆସୁଛି । ଆଶ୍ୱୀନ ଅମାବାସ୍ୟା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମଲେଶ୍ୱରୀ, ଖମ୍ବେଶ୍ୱରୀ ଏବଂ ସୁରେଶ୍ୱରୀ ମନ୍ଦିରରେ ବିଭିନ୍ନ ବଳି ଆୟୋଜିତ ହେବା ସହ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥାଏ ।

ପ୍ରସିଦ୍ଧ ବଳିଯାତ୍ରା ର ଏହି ପୂଜାବିଧିରେ ଶତାଧିକ ସେବାୟତ ନିଜ ଦାୟିତ୍ୱ ସମ୍ପାଦନ କରିଥାନ୍ତି । ତେବେ ଏହା ଅଞ୍ଚଳ ର ଏକ ପ୍ରସିଦ୍ଧ ଯାତ୍ରା ହୋଇଥିଲେ ମଧ୍ୟ ଏ ଯାଏଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇନାହିଁ । ଏ ଯାଏଁ ବସି ନାହିଁ ପ୍ରଥମ ବୈଠକ l ଆସନ୍ତା ୨୫ ତାରିଖରେ ଅମାବାସ୍ୟା, ତେଣୁ ହାତରେ ମାତ୍ର ଆଉ ଦଶ ଦିନ ଥିବାବେଳେ ଏ ଯାଏଁ ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇନାହିଁ ।

ମଙ୍ଗଳବାର ଦିନ ୧୧ ଟାରେ ପ୍ରଥମ ବୈଠକ ଡକାଯାଇଥିଲା । ତେବେ ବହୁ ସେବାୟତ ବୈଠକ ସ୍ଥଳକୁ ଆସିଥିଲେ । କାହାକୁ କିଛି ନ ଜଣାଇ ବୈଠକକୁ ବାତିଲ କରି ଦିଆଯାଇଥିଲା । ଏହାକୁ ନେଇ ବହୁ ସେବାୟତ କ୍ଷୋଭ ପ୍ରକାଶ କରିଛନ୍ତି । ବୈଠକ ପୁଣି କେବେ ହେବ ସେ ନେଇ ମଧ୍ୟ ସୂଚନା ଦିଆ ଯାଇନାହିଁ । ଅନ୍ୟପକ୍ଷରେ ବଳିଯାତ୍ରା ର ଜଣେ ପ୍ରମୁଖ ସେବାୟତ ବିଜାରୁଙ୍କ ଦେହାନ୍ତ ହୋଇଯାଇଛି ।

ବିଜାରୁଙ୍କ ଅନୁପସ୍ଥିତିରେ କ’ଣ କରାଯିବ ସେ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ । ବଳିଯାତ୍ରା ର ପ୍ରମୁଖ ସ୍ଥାନ ମାଁ ସମଲେଇଙ୍କ ମନ୍ଦିରରେ ରଙ୍ଗ ଦେବା କାମ ଆରମ୍ଭ ହୋଇନାହିଁ । ବର୍ଷାରେ ପାଣି ଗଳୁଥିବାରୁ ସମ୍ମୁଖ ମଣ୍ଡପ ଅପରିଷ୍କାର ହୋଇପଡିଛି । ଏ ଯାଏଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।