ଆଜି ପବିତ୍ର ମହାଳୟା : ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମାଁ ସମଲେଶ୍ୱରୀ

0
121
ଆଜି ପବିତ୍ର ମହାଳୟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୫/୦୯) : ଆଜି ପବିତ୍ର ମହାଳୟା । ପିତୃପକ୍ଷ ର ଶେଷ ଦିନ । ଏ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ।

ଆଜି ପବିତ୍ର ମହାଳୟା । ବର୍ଷକରେ ଗୋଟିଏ ଥର ମାଁଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ବର୍ଷ ସାରା, ମାଁ ସମଲେଇ ସିନ୍ଦୁର ରଙ୍ଗରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ, କେବଳ ମହାଳୟା ଦିନ ହୁଏ ମାଁଙ୍କ ଧବଳମୁଖୀ ବେଶ । ପୂଜକ ମାନେ ଶଙ୍ଖ ଓ ଗୋପୀ ତିଳକରେ ଧବଳ ପ୍ରଲେପ ଦିଆଯାଇ ଧବଳମୁଖୀ ବେଶରେ ମାଁ ଙ୍କୁ ସଜ୍ଜିତ କରିଛନ୍ତି । ଏଥି ସହିତ ଧଳା ରଙ୍ଗ ର ଫୁଲ ମାଁ ଙ୍କୁ ଅର୍ପଣ କରାଯାଇଛି । ୨ ବର୍ଷ ପରେ ପୁଣି ଥରେ ମାଁ ଙ୍କ ଧବଳମୁଖୀ ଦର୍ଶନ ପାଇଁ ଭିଡ ଲାଗିଛି ।

ମାଁ ଙ୍କର ଏହି ବେଶକୁ ଗଙ୍ଗା ବେଶ ମଧ୍ୟ କୁହାଯାଏ । ଯେଉଁମାନେ ଗଙ୍ଗା ଦର୍ଶନ କରି ନ ଥାନ୍ତି, ସେମାନେ ଧବଳମୁଖୀ ବେଶ ଦର୍ଶନ କଲେ, ଗଙ୍ଗା ଦର୍ଶନ ଓ ସ୍ନାନ ର ପୁଣ୍ୟ ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଏପରିକି ଯେଉଁମାନେ ପିଣ୍ଡଦାନ କରି ପାରିନଥାନ୍ତି ଏହି ଦିନରେ ପିଣ୍ଡଦାନ ମଧ୍ୟ କରିଥାନ୍ତି ।