ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ୍ : ମହିଳାଙ୍କୁ ବାନ୍ଧିଲା କମିଶନରେଟ୍ ପୁଲିସ

0
170
ରାଜନେତା ଓ ପ୍ରଯୋଜକଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୧୦) : କମିଶନରେଟ୍ ପୁଲିସ କବଜାରେ ବ୍ଲାକମେଲ୍ କରୁଥିବା ମହିଳା । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ୍ କରି ଟଙ୍କା ହଡ଼ପ କରୁଥିବା ଜଣେ ମହିଳାଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି ।

ସୂଚନା ମିଳିଛି ସଂପୃକ୍ତ ମହିଳାଙ୍କ ପାଖରୁ ପୁଲିସ ୨ ଟି ପେନଡ୍ରାଇଭ୍ ଜବତ କରିଛି । ଏହି ମହିଳାଙ୍କ ନାମ ଅର୍ଚ୍ଚନା ନାଗ ବୋଲି ଜଣାପଡ଼ିଛି । ସେ ଉଚ୍ଚ ଶିକ୍ଷିତା । ଆଇନ ପାଠ ପଢ଼ିଛନ୍ତି । ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏଭଳି କଳା କାରନାମାରେ ସହାୟତା କରୁଥିବା ପୁଲିସ ସନ୍ଦେହ କରୁଛି । ଜଣାପଡ଼ିଛି କିଛି ଦିନ ପୂର୍ବରୁ ମହିଳାଙ୍କ ବିରୋଧରେ ଜଣେ ସିନେ ପ୍ରଯୋଜକ ବ୍ଲାକମେଲ୍ କରୁଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଥିଲେ । ଏତଲାକୁ ଆଧାର କରି ପୁଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ ଏ ନେଇ ପୁଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ଏହା ପୂର୍ବରୁ ମଧ୍ୟ କିଛି ରାଜନେତା ଓ ପ୍ରଯୋଜକଙ୍କୁ ମହିଳା ଜଣକ ବ୍ଲାକମେଲ୍ କରୁଥିବା ଅଭିଯୋଗ ହୋଇଥିଲା ।

ମହିଳା ଜଣକ ବିଭିନ୍ନ ରାଜନେତା ଓ ପ୍ରଯୋଜକଙ୍କୁ ନିର୍ଦ୍ଦିଷ୍ଟ ଏକ ସ୍ଥାନକୁ ଡାକି ପ୍ରେମ ଜାଲରେ ଫସାଉଥିଲେ । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଉଠାଇ ରଖୁଥିଲେ । ଏକ ବିଳାଶପୂର୍ଣ୍ଣ କୋଠାରେ ରହିବା ସହ ତାଙ୍କ କଳାକାରନାମା ଚଳାଇଥିଲେ । ଏହି କୋଠାରେ ହିଡେନ୍‌ କ୍ୟାମେରା ଲାଗିଥିଲା ଓ ଭିଡ଼ିଓ ସୁଟ୍ ହେଉଥିଲା । ମହିଳା ଜଣକ ବହୁ ଦାମୀ କାର ଓ ବାଇକ୍ ବ୍ୟବହାର କରୁଥିଲେ ।

ସେପଟେ କେହି ଯେପରି ନ ଜାଣି ପାରିବେ ସେଥିପାଇଁ ପୁଲିସ ଯୋଜନାବଦ୍ଧ ଭାବେ ଏହି ମହିଳାଙ୍କୁ ଗତକାଲି କୋର୍ଟ ଚାଲାଣ କରିଛି । ଯାହାକୁ ନେଇ ପୁଲିସର ଏଭଳି ପଦକ୍ଷେପ ପଛର ଉଦ୍ଦେଶ୍ୟ ଉପରେ ମଧ୍ୟ ସନ୍ଦେହ ଉପୁଜିଛି । ମହିଳା ଜଣକ ରାଜନେତା ଓ ପ୍ରଯୋଜକ ଛଡ଼ା କିଛି ପୁଲିସ ବାବୁଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇ ବ୍ଲାକ୍ ମେଲ କରିଥିବା ସୂଚନା ମିଳିଛି ।