ମସ୍କୋ ରୁ ଦିଲ୍ଲୀ ଆସୁଥିବା ବିମାନକୁ ମିଳିଲା ବୋମା ଧମକ

0
130
ମସ୍କୋ ରୁ ଦିଲ୍ଲୀ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୪/୧୦) : ପୁଣି ଗୋଟିଏ ଯାତ୍ରୀବାହୀ ବିମାନରେ ବୋମା ଥିବାର ଧମକ ମିଳିଛି । ରୁଷ ର ମସ୍କୋ ରୁ ଦିଲ୍ଲୀ ଆସୁଥିବା ବିମାନରେ ବୋମା ଥିବା ଗୋଟିଏ ଧମକଭରା ଇ-ମେଲ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି । ଗୁରୁବାର ରାତିରେ ଏପରି ଧମକପୂର୍ଣ୍ଣ ଇ-ମେଲ ଆସିଥିଲା ।

ମସ୍କୋ ରୁ ଦିଲ୍ଲୀ ଆସୁଥିବା ବିମାନକୁ ଧମକ ମିଳିବା ପରେ ସୁରକ୍ଷାକର୍ମୀଙ୍କୁ ଆଲର୍ଟ ଜାରି କରାଯିବା ସହ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଥିଲା । ବିମାନରେ ୪୦୦ ଜଣ ଯାତ୍ରୀ ଥିଲେ । ବିମାନଟି ଏୟାରପୋର୍ଟରେ ପହଞ୍ଚିବା ପରେ ବେଶ ସତର୍କତାର ସହ ଯାଞ୍ଚ ଆରମ୍ଭ କରାଯାଇଥିଲା । ତେବେ ଏ ଯାଏଁ କୌଣସି ପ୍ରକାର ର ବିସ୍ଫୋରକ କିମ୍ବା ସନ୍ଦିଗ୍ଧ ଜିନିଷ ବିମାନରୁ ମିଳିନାହିଁ । ତଥାପି ବିମାନଟିକୁ ଏୟାରପୋର୍ଟର ଗୋଟିଏ ଏକାନ୍ତ ସ୍ଥାନରେ ରଖାଯାଇଛି । ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।

ପୁଲିସ୍‌ ର ସୂଚନା ଅନୁଯାୟୀ, ବିମାନଟି ମସ୍କୋରୁ ଭୋର ୩.୨୦ ରେ ଆସି ଦିଲ୍ଲୀରେ ଅବତରଣ କରିଥିଲା । ରାତି ପ୍ରାୟ ୧୧.୧୫ ରେ ମସ୍କୋରୁ ଏୟାରପୋର୍ଟରୁ ଟରମିନାଲ ୩କୁ ଆସୁଥିବା ବିମାନରେ ବୋମା ଥିବା ସୂଚନା ମିଳିଥିଲା। ସୂଚନା ମିଳିବା ପରେ ସମସ୍ତ ପ୍ରକାର ର ସତର୍କତା ଅବଲମ୍ବନ କରାଯାଇଥିଲା ।

ଶେଷରେ ବିମାନ ନମ୍ବର ଏସ୍‌ୟୁ ୨୩୨ ଟରମିନାଲ ୩ର ରନୱେ ୨୯ ରେ ଲ୍ୟାଣ୍ଡ କରିଥିଲା । ବିମାନରେ ମୋଟ ୩୮୬ ଜଣ ଯାତ୍ରୀ ୧୬ ଜଣ କ୍ରୁ ସଦସ୍ୟ ରହିଥିଲେ । ସେମାନଙ୍କୁ ତୁରନ୍ତ ବିମାନରୁ ବାହାର କରାଯିବା ସହ ଯାଞ୍ଚ ଆରମ୍ଭ କରାଯାଇଥିଲା । ହେଲେ ବୋମା ଏଥିରୁ ମିଳି ନଥିଲା । ପୁଲିସ୍‌ ଏବେ ଇ-ମେଲ କେଉଁଠୁ କିଏ ପଠାଇଥିବା, ତା’ର ତଦନ୍ତ କରୁଛି ।