ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ଟ୍ରେନ : ୩ ମୃତ

0
120
ଯାତ୍ରୀ ବିଶ୍ରାମାଗାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୧/୧୧) : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାରୁ ୪ଟି ବଗି ଯାତ୍ରୀ ବିଶ୍ରାମାଗାର ଭିତରକୁ ପଶି ଯାଇଥିଲା ।

ଫଳରେ କ୍ଷଣକ ମଧ୍ୟରେ ଯାତ୍ରୀ ବିଶ୍ରାମାଗାର ଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିବା ବେଳେ ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ, ମାଲବାହୀ ଟ୍ରେନ୍‌ଟି ଆଜି ସକାଳ ପ୍ରାୟ ୬ ଟା ୪୪ ମିନିଟ୍‌ରେ କୋରେଇ ଷ୍ଟେସନରେ ପଶିଥିଲା । ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବାବେଳେ ପ୍ରଥମ ୬ ଟି ବଗି ଚାଲି ଯାଇଥିଲା । ଏହାପରେ ପ୍ରାୟ ୪ ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା । ଏହି ୪ ଟି ବଗି ଯାତ୍ରୀ ବିଶ୍ରାମାଗାର ଉପରକୁ ମାଡ଼ି ଯାଇଥିଲା ।

ଉକ୍ତ ସମୟରେ ସେଠାରେ କେତେକ ଲୋକ ଶୋଇଥିଲା ବେଳେ କେତେକ ଲୋକ ଟ୍ରେନ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଟ୍ରେନ୍‌ଟି ମାଡ଼ି ଆସିବା ଦେଖି କିଛି ଲୋକ ଛତ୍ରଭଙ୍ଗ ଦେଇ ସେଠାରୁ ଦୌଡ଼ି ପଳାଇଥିଲେ । ମାତ୍ର ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣା ଯୋଗୁଁ ଷ୍ଟେସନ୍‌ରେ ଥିବା ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ଟ୍ରେନ୍‌ ବଗି ତଳେ ତଥା ଭଙ୍ଗା କାନ୍ଥ ତଳେ ଆହୁରି ବହୁ ଲୋକ ଚାପି ହୋଇଥିବା ଜଣାଯାଇଛି ।

ଅଗ୍ନିଶମ ଡିଜିଙ୍କ ସୂଚନା ଅନୁସାରେ ଦୁର୍ଘଟଣା ପରେ ଟ୍ରେନ୍ ବଗି ତଳେ ୫ ଜଣ ଲୋକ ଚାପି ହୋଇ ରହିଥିଲେ । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କୁ ଯାଜପୁର ଫାୟାର ସର୍ଭିସ ପକ୍ଷରୁ ହସ୍ପିଟାଲକୁ ପଠାଯାଇଛି । ଉଦ୍ଧାର କାର୍ଯ୍ୟରେ ଯାଜପୁର ରୋଡ୍, ବୈତରଣୀ ରୋଡ୍, କୋରେଇଠାରେ ଥିବା ଅଗ୍ନିଶମ ବାହିନୀର ଯବାନମାନେ ଲାଗିଛନ୍ତି ।

ଦୁର୍ଘଟଣା ଏତେ ଭୟଙ୍କର ଯେ, ବଗି ଗୁଡ଼ିକ ବିକ୍ଷିପ୍ତ ହୋଇ ଏଣେ ତେଣେ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି । ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ । ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ସକାଳ ୬ ଟା ୪୪ ରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି ।