ସ୍କୁଟିକୁ ଧକ୍କା ଦେଇ ଯୁବତୀଙ୍କୁ ୪ କିଲୋମିଟର ଯାଏଁ ଘୋଷାଡି ନେଲା କାର୍‌

0
108
ସ୍କୁଟିକୁ ଧକ୍କା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୨/୦୧) : ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଘଟିଛି ଛାତିଥରା ଘଟଣା । ସ୍କୁଟିକୁ ଧକ୍କା ଦେଇ ମହିଳାଙ୍କୁ ବିଚ୍ ରାସ୍ତାରେ ୪ କିଲୋମିଟର ଯାଏଁ ଘୋଷାଡ଼ି ନେଲା ଚଳନ୍ତା କାର ।

କିଛି ମଦ୍ୟପ ଯୁବକଙ୍କ ଏଭଳି ବର୍ବୋରଚିତ କାଣ୍ଡରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଗତକାଲି ସକାଳେ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଦିଲ୍ଲୀରେ ରହୁଥିବା ସଂପୃକ୍ତ ମହିଳା ଜଣକ ତାଙ୍କ ସ୍କୁଟିରେ ଯାଉଥିବା ବେଳେ ଏକ କାର ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ପରେ ମହିଳା ଜଣକ କାର ତଳେ ରହିଯାଇଥିବା ବେଳେ ତାଙ୍କୁ ୪ କିଲୋମଟିର ଯାଏଁ ରାସ୍ତା ଘୋଷାଡ଼ି ନେଇଯାଇଥିଲା ଉକ୍ତ ଚଳନ୍ତା କାର ।

ଦୁର୍ଘଟଣା ପରେ ମହିଳାଙ୍କ ଗୋଡ଼ କିମ୍ବା ହାତ କାର୍‌ରେ ଲାଖି ରହିଥିଲା । କାରରେ ୫ ଜଣ ଯୁବକ ଥିଲେ । ଏ ଘଟଣା ପରେ ପୁଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି । ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ । ସେପଟେ ମହିଳାଙ୍କୁ ଯୌନ ଉତ୍ପୀଡନ କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦିଲ୍ଲୀ ପୁଲିସ ଘଟଣାର ତଦନ୍ତ କରୁଛି । ମହିଳା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛି ପୁଲିସ । ଅନ୍ୟପଟେ ଘଟଣା ଉପରେ ପୁଲିସକୁ ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ।