ହକି ବିଶ୍ୱକପ : ଆଜି ଶୀର୍ଷରେ ଥିବା ଇଂଲଣ୍ଡକୁ ଭେଟିବ ଭାରତ

0
201
ହକି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୫/୦୧) : ବିଜୟରୁ ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଘରୋଇ ଟିମ ଭାରତ ଆଜି ଇଂଲଣ୍ଡକୁ ଭେଟିବ ।

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ । ଗ୍ରୁପ ଡି’ରେ ଥିବା ଉଭୟ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍‌ ଜିତିଛନ୍ତି। ତେଣୁ ଆଜି ଜୋରଦାର ଟକ୍କର ହେବ । ବିଶ୍ୱ ରାଙ୍କିଂରେ ଇଂଲଣ୍ଡ ୫ମ ସ୍ଥାନରେ ଥିବା ବେଳେ ଭାରତ ୬ଷ୍ଠ ସ୍ଥାନରେ ରହିଛି । ସେହିପରି ଚଳିତ ବିଶ୍ୱକପରେ ଇଂଲଣ୍ଡ ପ୍ରତିପକ୍ଷ ୱେଲ୍ସକୁ ୫-୦ରେ ହରାଇ ଟେବୁଲ ଟପ୍‌ରେ ରହିଛି । ଭାରତ ମଧ୍ୟ ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ହରାଇଥିଲା । କିନ୍ତୁ ଗୋଲ ବ୍ୟବଧାନ ୨-୦ ଥିବାରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।

ତେଣୁ ଆଜି ମ୍ୟାଚ୍‌ ଭାରତ ଜିତିଲେ ଟେବୁଲ ଟପ୍‌ରେ ପହଞ୍ଚିବ । ଏଥିସହ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଦଖଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ପାଇବ । ଇଂଲଣ୍ଡ ମଧ୍ୟ ସିଧାସଳଖ ନକଆଉଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ନିୟମ ଅନୁସାରେ ଗ୍ରୁପ୍‌ର ଶୀର୍ଷ ସ୍ଥାନରେ ରହିବାକୁ ଥିବା ଦଳ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଦ୍ୱିତୀୟ ସ୍ଥାନରେ ରହୁଥିବା ଦଳ କ୍ରସ ଓଭର ମ୍ୟାଚ୍‌ ଖେଳିବ ।

ଘରୋଇ ପରିବେଶରେ ବିଶ୍ୱକପ ଖେଳୁଥିବା ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌ରେ କମାଲ କରିଥିଲା । ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପ୍ରାରମ୍ଭିକ ଗୋଲରେ ଆଗୁଆ ଥିବା ଭାରତ ପାଇଁ ଦ୍ୱିତୀୟ ଗୋଲ ହାର୍ଦ୍ଦିକ ସିଂହ ଦେଇଥିଲେ । ୧୩ ଓ ୨୬ତମ ମିନିଟରେ ଭାରତ ସ୍କୋର କରିଥିବା ଦୁଇଟି ଗୋଲ ଶେଷରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା । ଭାରତ ମଧ୍ୟ ୨-୦ରେ ସ୍ପେନକୁ ହରାଇଥିଲା । ତେବେ ଦଳ ପ୍ରଥମ ମ୍ୟାଚ୍‌ରେ ଏକାଧିକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେଣୁ ଦଳକୁ ଆଜି ଏହା ଉପରେ ଅଧିକ ଫୋକସ କରିବାକୁ ପଡ଼ିବ ।

କାରଣ ପଲ୍ ରେଭିଙ୍ଗଟନ ଇଂଲଣ୍ଡ ଦଳ ପେନାଲଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିଣତ କରିବାରେ ବେଶ ମାହିର । ୱେଲ୍ସ ବିପକ୍ଷରେ ଦଳ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲରେ ପରିଣତ କରି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲା । ଇଂଲଣ୍ଡର ଫରୱାର୍ଡ୍ ଲିଆମ ଆନସେଲ ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି । ସେ ୱେଲ୍ସ ବିପକ୍ଷ ମ୍ୟାଚ୍‌ରେ ଦୁଇଟି ପେନାଲଟି କର୍ଣ୍ଣର୍‌କୁ ସଫଳତାର ସହ ଗୋଲ୍‌ରେ ପରିଣତ କରିଥିଲେ । ତେଣୁ ଭାରତର ରକ୍ଷଣ ଭାଗକୁ ଅତ୍ୟନ୍ତ ସତର୍କତାର ସହ ଖେଳିବାକୁ ପଡ଼ିବ ।

୧୯୭୫ରେ ଶେଷଥର ପାଇଁ ହକି ବିଶ୍ୱକପ ଜିତିଥିବା ଭାରତ ଏହାପରେ ନକଆଉଟରେ ପ୍ରବେଶ କରିବାକୁ ସଂଘର୍ଷ କରି ଚାଲିଥିଲା । ଦଳ ଦୀର୍ଘ ୪୩ ବର୍ଷ ପରେ ଅର୍ଥାତ ୨୦୧୮ରେ ନକଆଉଟରେ ପ୍ରବେଶ କରିଥିଲା । କିନ୍ତୁ ଦଳ ଆଗକୁ ଯିବାକୁ ସକ୍ଷମ ହୋଇ ନଥିଲା । ଏଥର ଦଳ ପୂର୍ବ ରେକର୍ଡକୁ ଭୁଲି ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ।

ଉଭୟ ଦଳ ଏଯାଏ ୧୩୩ଟି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିବା ବେଳେ ଭାରତ ୨୫ଟି ଓ ଇଂଲଣ୍ଡ ୮୬ଟି ମ୍ୟାଚ୍‌ ଜିତିଛି । ସେହିପରି ୨୨ଟି ମ୍ୟାଚ ଡ୍ର ହୋଇଛି । ବିଶ୍ୱକପରେ ୮ଟି ମ୍ୟାଚ୍‌ ମ୍ୟାଚ୍ ଦୁଇ ଦଳ ପରସ୍ପର ବିରୋଧରେ ଏଯାଏ ଖେଳିଛନ୍ତି । ଏଥିରେ ଭାରତ ୩ଟି ଓ ଇଂଲଣ୍ଡ ୪ଟିରେ ଜିତିଛି । ଶେଷ ୩ ମ୍ୟାଚ୍‌କୁ ବିଚାରକୁ ନେଲେ ଭାରତ ୨ଟି ଜିତିଥିବା ବେଳେ ଗୋଟିଏ ଡ୍ର ରହିଛି । ଅନ୍ୟପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଆଉ ଗୋଟିଏ ମ୍ୟାଚ୍‌ ଅପରାହ୍ନ ୫ଟାରେ ଖେଳାଯିବ । ଏହି ମ୍ୟାଚ୍‌ରେ ସ୍ପେନ ଓ ୱେଲ୍ସ ପରସ୍ପରକୁ ଭେଟିବେ ।