ଦଳାଚକଟା ପରେ ସିଂହନାଥ ପୀଠରେ ୧୪୪ ଧାରା ଜାରି

0
135
ଦଳାଚକଟା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନରସିଂହପୁର, (୧୫/୦୧) : ଦଳାଚକଟା ରେ ଜଣଙ୍କ ମୃତ୍ୟୁ ଓ ଏକାଧିକ ଲୋକ ଆହତ ହେବା ପରେ କଟକ ଜିଲ୍ଲା ବଡ଼ମ୍ବାର ସିଂହନାଥ ପୀଠରେ ଜାରି ହୋଇଛି ୧୪୪ ଧାରା

ଆଜି ଓ ଆସନ୍ତାକାଲି ମନ୍ଦିରକୁ ନଆସିବାକୁ ଶ୍ରଦ୍ଧାଳୁଙ୍କୁ କୁହାଯାଇଛି । ସେହିପରି ମକର ମେଳାରେ ପଡ଼ିଥିବା ଦୋକାନ ଗୁଡ଼ିକୁ ଉଠାଇ ଘରକୁ ପଳାଇବାକୁ ଦୋକାନୀ ମାନଙ୍କୁ କୁହାଯାଇଛି । ଏହା ସହିତ ସେଠାରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ଗତକାଲି ସିଂହନାଥ ପୀଠକୁ ଯିବାକୁ ଉଦ୍ଦିଷ୍ଟ ଟି-ବ୍ରିଜ୍‌ରେ ଘଟିଥିବା ଦଳାଚକଟା ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ଆଉ କିଛି ଆହତ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ମକର ମେଳା ଅବସରରେ ଏହି ପୀଠକୁ ଯେତିକି ସଂଖ୍ୟକ ଲୋକ ଆସିବେ ବୋଲି ପ୍ରଶାସନ ଆକଳନ କରିଥିଲା, ତା’ଠାରୁ ଢେର ଅଧିକ ଲୋକଙ୍କର ସମାଗମ ହୋଇଥିଲା । ସଂକୀର୍ଣ୍ଣ ସେତୁ ସାଙ୍ଗକୁ ଲୋକଙ୍କ ତୁଳନାରେ ଶାନ୍ତି ଶୃଙ୍ଖଳା ନିୟନ୍ତ୍ରଣ ପାଇଁ କମ୍ ସଂଖ୍ୟ ପୁଲିସ କର୍ମଚାରୀ ଥିବାରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି । ମେଳାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାତ୍ର ୩ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ। ମେଳା ପରିଚାଳନାରେ ପ୍ରଶାସନ ପୂରା ଫେଲ୍ ମାରିଥିବା କୁହାଯାଉଛି । ଅନ୍ୟପକ୍ଷରେ କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ଓ ଭବିଷ୍ୟତରେ ଲୋକଙ୍କ ଭିଡ଼କୁ କିପରି ଏଡ଼ାଯାଇପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ନରସିଂହ ଭୋଳ । ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅଲଗା କରାଯିବ ବୋଲି ସେ କହିଛନ୍ତି ।