କଳାହାଣ୍ଡିରେ କାୟା ମେଲାଉଛି ମ୍ୟାଲେରିଆ : ୧୧ ବର୍ଷରେ ଗଲାଣୀ ୪୧ ଜଣଙ୍କ ଜୀବନ

0
90
କଳାହାଣ୍ଡିରେ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୬/୪) : କଳାହାଣ୍ଡିରେ କାୟା ମେଲାଉଛି ମ୍ୟାଲେରିଆ । ମ୍ୟାଲେରିଆ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଓ ରୋଗ ନିୟନ୍ତ୍ରଣ କରିବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୫ ତାରିଖକୁ ସରକାରୀ ସ୍ତରରେ ‘ ବିଶ୍ୱ ମ୍ୟାଲେରିଆ ଦିବସ ‘ ଭାବେ ପାଳନ କରାଯାଉଛି ।

୨୦୨୭ ସୁଦ୍ଧା ପୂରା ଦେଶକୁ ମ୍ୟାଲେରିଆ ମୁକ୍ତ କରାଯିବା ପାଇଁ ବିଭିନ୍ନ ଯୋଜନା ଚାଲିଥିବା ବେଳେ କଳାହାଣ୍ଡିରେ ମ୍ୟାଲେରିଆ କାୟା ମେଲାଉଛି । ଗତ ୧୧ ବର୍ଷ ମଧ୍ୟରେ ୪୧ ଜଣଙ୍କ ମ୍ୟାଲେରିଆରେ ମୃତ୍ୟୁ ଘଟିଛି । ଏବେ ମଧ୍ୟ ଦୁର୍ଗମ ଅଞ୍ଚଳରେ ଲୋକେ ଗୁଣିଗାରେଡ଼ି ଉପରେ ଭରସା କରୁଥିବାରୁ ଅନେକ ରୋଗୀ ଗାଁ ଗହଳରେ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ତାହା ସରକାରୀ ପରିସଂଖ୍ୟାନକୁ ଆସୁନଥିବା ଅଭିଯୋଗ ହେଉଛି । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍ ଓ ଲାଞ୍ଜିଗଡ଼ ବ୍ଲକ୍ ରେ ମ୍ୟାଲେରିଆର ପ୍ରକୋପ ବ୍ୟାପିବାରେ ଲାଗିଛି । ସରକାରୀ ବାବୁମାନେ କାଗଜକଲମରେ ମ୍ୟାଲେରିଆ ନିରାକରଣ କରୁଥିବାରୁ ଦୁର୍ଗମ ଅଞ୍ଚଳରେ ଏବେ ମଧ୍ୟ ମ୍ୟାଲେରିଆ ନିଜର ସ୍ଥିତି ଜାହିର କରିବାରେ ଲାଗିଛି । ୨୦୧୨ ମସିହାରେ ୨ ଲକ୍ଷ ୬୪ହଜାର ୬୬୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା । ସେଥିରୁ ୧୯ ହଜାର ୭୫ ଜଣଙ୍କଠାରେ ମ୍ୟାଲେରିଆ ଚିହ୍ନଟ ହୋଇଥିଲା । ଏଥି ମଧ୍ୟରୁ ୧୭ ହଜାର ୩୬୯ ଜଣ ପିଏଫ୍ ଓ ୧୭୦୬ ଜଣ ପିଭି ଆକ୍ରାନ୍ତ ହୋଇଥିବାବେଳେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା ।

୨୦୧୩ ମସିହାରେ ୨ ଲକ୍ଷ ୮୬ ହଜାର ୫୯୧ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୨୦ ହଜାର ୧୨୦ ଜଣଙ୍କ ପଜିଟିଭ ମଧ୍ୟରୁ ୧୮ ହଜାର ୫୫୩ ଜଣଙ୍କ ପିଏଫ୍ ୧୫୬୭ ଜଣଙ୍କ ପିଭି ଓ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୪ ମସିହାରେ ୩ ଲକ୍ଷ ୧୪ ହଜାର ୪୫୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୨୯ ହଜାର ୫୩୫ ଜଣଙ୍କ ପଜିଟିଭ ବାହାରିଥିବା ବେଳେ ୨୬ ହଜାର ୭୦୯ ଜଣଙ୍କ ପିଏଫ୍, ୨୮୨୬ ଜଣଙ୍କ ପିଭି ଓ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୬ ମସିହାରେ ୩ ଲକ୍ଷ ୬୨ ହଜାର ୮୯୯ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୪୪ ହଜାର ୯୧୬ ଜଣଙ୍କ ପଜିଟିଭ ମଧ୍ୟରୁ ୩୯ ହଜାର ୪୬୩ ଜଣଙ୍କ ପିଏଫ୍, ୫୪୫୩ ଜଣଙ୍କ ପିଭି ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ୨୦୧୭ ମସିହାରେ ୩ ଲକ୍ଷ ୧୪ ହଜାର ୨୩୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବାବେଳେ ୩୧ ହଜାର ୨୬୫ ଜଣଙ୍କ ପଜିଟିଭ ମଧ୍ୟରୁ ୨୬ ହଜାର ୪୦୪ ଜଣଙ୍କ ପିଏଫ୍ ଓ ୪୮୬୧ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା ।

ଏହି ବର୍ଷ କେହି ମଧ୍ୟ ମ୍ୟାଲେରିଆରେ ମୃତ୍ୟୁବରଣ କରି ନ ଥିବା ସରକାରୀ ସୂଚନା ମିଳିଛି । ୨୦୧୮ ମସିହାରେ ୩ ଲକ୍ଷ ୧୮ ହଜାର ୮୯୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବାବେଳେ ୮୬୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେଥିରୁ ୭୨୯୦ ଜଣଙ୍କ ପିଭି ଓ ୧୪୦୬ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା । ୨୦୧୯ ମସିହାରେ ୩ ଲକ୍ଷ ୩୮ ହଜାର ୯୩୩ଟି ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ୬୦୧୨ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲା , ସେଥିମଧ୍ୟରୁ ୫୪୮୨ ପିଏଫ୍ ଓ ୫୩୦ ଜଣଙ୍କଠାରେ ପିଭି ଚିହ୍ନଟ ହୋଇଥିଲା । ୨୦୨୦ ମସିହାରେ ୨ ଲକ୍ଷ ୯୯ ହଜାର ୪୩୯ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୧୦୫୭୭ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲା ।

ଏଥିମଧ୍ୟରୁ ୧୦ ହଜାର ୧୭ ଜଣଙ୍କ ପିଏଫ୍ ଓ ୫୬୦ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା । ୨୦୨୧ ମସିହାରେ ୩ ଲକ୍ଷ ୨୬ ହଜାର ୬୭୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିବାବେଳେ ୫୧୬୪ ଜଣଙ୍କଠାରେ ପଜିଟିଭ ଚିହ୍ନଟ ହୋଇଥିଲା । ସେଥିରୁ ୪୬୪୭ ଜଣଙ୍କ ପିଏଫ୍ ଓ ୫୧୭ ଜଣଙ୍କ ପିଭି ଚିହ୍ନଟ ହୋଇଥିଲା । ୨୦୨୨ ମସିହାରେ ୩ ଲକ୍ଷ ୨୯ ହଜାର ୯୦୪ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୩୮୪୧ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିଲା । ସେଥିରୁ ୩୩୮୭ ଜଣଙ୍କ ପିଏଫ୍ ଓ ୪୫୪ ଜଣଙ୍କଠାରେ ପିଭି ଚିହ୍ନଟ ହୋଇଥିଲା । ଗତ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ମ୍ୟାଲେରିଆରେ କୌଣସି ରୋଗୀ ମୃତ୍ୟୁବରଣ କରି ନଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । କିନ୍ତୁ ୨୦୧୨ ମସିହାରୁ ୨୦୧୬ ମସିହା ମଧ୍ୟରେ ୪୧ ଜଣ ମ୍ୟାଲେରିଆରେ ମୃତ୍ୟୁବରଣ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର , ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ ବ୍ଲକ଼୍ର ଦୁର୍ଗମ ଅଂଚଳରେ ଲୋକେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ।

ଦୁର୍ଗମ ଅଞ୍ଚଳରେ ଗମନାଗମନ ସୁବିଧା ଅଭାବ ଓ ନେଟୱାର୍କ ନଥିବାରୁ ବହୁ ରୋଗୀ ଗୁଣି ଗାରେଡ଼ି ଓ କ୍ଵାକ୍ ଭରସାରେ ଅଛନ୍ତି । ଫଳରେ ଅତ୍ୟନ୍ତ ସଂକଟାପନ୍ନ ହୋଇ ଡାକ୍ତରଖାନାକୁ ଆସି ନପାରି ମୃତ୍ୟୁମୁଖରେ ପଡୁଛନ୍ତି । ପୂର୍ବରୁ ଗାଁ ମାନଙ୍କରେ ଡିଡିଟି ସିଂଚନ ଓ କୂଅଗୁଡ଼ିକରେ ବ୍ଲିଚିଂ ପାଉଡ଼ର ପକାଯାଉଥିଲା । ବର୍ତମାନ କିନ୍ତୁ କାଗଜ କଲମରେ ଚାଲିଥିବା ଯୋଗୁଁ ମ୍ୟାଲେରିଆ ନିରାକରଣ ବାଟବଣା ହେବାରେ ଲାଗିଛି । ଔଷଧ ବୋଳା ମଶାରୀ ଦୁର୍ଗମ ଅଞ୍ଚଳରେ ଲୋକେ ଠିକ୍ ଭାବରେ ପାଉନଥିବାରୁ ଯୋଗୁଁ ମ୍ୟାଲେରିଆରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟ ପଟେ ଜିଲ୍ଲାରେ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ପଦ ଖାଲି ଥିବାରୁ ଦୁର୍ଗମ ଅଂଚଳରେ ଲୋକେ କ୍ବାକ୍ ଭରସାରେ ଚିକିତ୍ସା ପାଉଛନ୍ତି । ଅତ୍ୟନ୍ତ ଗରିବ ଲୋକେ ଗୁଣିଗାରେଡ଼ି ଉପରେ ନିର୍ଭର କରୁଛନ୍ତି । ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବାକୁ ଦାବି ହେଉଛି ।