ଢେଙ୍କାନାଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : କୋଭିତ ପ୍ରୋଟୋକଲ ମାନି ପୂଜା ହେବ

0
205

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୬/୦୮) : ଆଜି ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହରେ ଜିଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳରେ ଗଣେଶ ପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 08 27 at 8.08.16 AM ଢେଙ୍କାନାଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : କୋଭିତ ପ୍ରୋଟୋକଲ ମାନି ପୂଜା ହେବ

ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁପାଳନ ପୂର୍ବକ ଢେଙ୍କାନାଳରେ ଗଣେଶ ପୂଜା ଅନୁଷ୍ଠାନ ନିମନ୍ତେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହିତ ଭାଇ ଚାରା ରେ ସମାପନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ଦିନ ଗଣେଶ ପୂଜା ଆରମ୍ଭ ହୋଇ ୧୨ ତାରିଖ ରବିବାର ଦିନ ଭସାଣି ଅନୁଷ୍ଠିତ ହେବ । ସରକାରଙ୍କ କୋଭିଡ ପ୍ରୋଟୋକଲ ମାନି ପୂଜା ଅନୁଷ୍ଠାନ କରାଯିବ ।

ପୂଜା ମଣ୍ଡପକୁ ସମ୍ମୁଖ ଭାଗକୁ ଛାଦି ତିନି ପାଖ ଆବଦ୍ଧ କରାଯିବ । ସମ୍ମୁଖ ଭାଗକୁ ମଧ୍ୟ ପରଦା ଦ୍ବାରା ଆବଦ୍ଧ ରଖାଯିବ । ମଣ୍ଡପରେ ମୂର୍ତ୍ତି ୪ ଫୁଟ ଉଚ୍ଚତା ବିଶିଷ୍ଠ ହେବ । ପୂଜା ସମୟରେ ପୂଜକ ଏବଂ କର୍ମକର୍ତ୍ତାଙ୍କୁ ମିଶାଇ ସର୍ବାଧିକ ୭ କଣ ବ୍ୟକ୍ତି ଉପସ୍ଥିତ ରହିପାରିବେ, ସମସ୍ତେ ନିଶ୍ଚିତ ଭାବେ ମାସ୍କ ପରିଧାନ କରିଥିବେ, ସାମାଜିକ ଦୂରତା ପାଳନ ସହିତ ପରିଷ୍କାର ପରିଚ୍ଛନ୍ନ ପ୍ରତି ଯତ୍ନବାନ ହେବେ ।

ପୂଜା ମଣ୍ଡପରେ ସର୍ବସାଧାରଣ ମୂର୍ତ୍ତି ଦର୍ଶନ କରିବାକୁ ବାରଣ କରାଯାଇଛି । ପୂଜା ମଣ୍ଡପରେ ଯେପରି ଜନଗହଳି ନ ହୁଏ , ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି । ପୂଜା ମଣ୍ଡପରେ କୌଣସି ପ୍ରକାରର ଡାକ ବାଜି ଯନ୍ତ୍ର ବ୍ୟବହାର ହେବ ନାହିଁ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।

ପୂଜା ମଣ୍ଡପରେ କୌଣସି ପ୍ରକାରର ଭୋଜି ଭାତର ଆୟୋଜନ କରାଯିବ ନାହିଁ । କରୋନାର ତୃତୀୟ ଲହରରେ ପିଲାମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ପୂଜା ସମୟରେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ଅନୁରୋଧ କରାଯାଇଛି । ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୋଖରୀ କରାଯାଇ ମୂର୍ତ୍ତି ବିସର୍ଜନ ନିମନ୍ତେ ବ୍ୟବସ୍ଥା କରାଯିବ । ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟ କୌଣସି ପ୍ରକାର ଶୋଭାଯାତ୍ରା, ମାଇକ ଦ୍ବାରା ବାଦ୍ୟ, ଗୀତ ଆଦି ପରିବେଷଣ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସୁଧାଶୁ କୁମାର ଦଳେଇ, ସମ୍ପାଦକ ଶ୍ରୀ ବିଶ୍ବନାଥ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ଶରତ କୁମାର ସାହୁଙ୍କ ସମେତ ସମସ୍ତ ମୂର୍ତ୍ତି ପ୍ରତିଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।