ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର : ଏସ୍.ଆଇ.ଏ.ରିପୋର୍ଟ ଉପରେ ନିର୍ଭର

0
135
ନବକୃଷ୍ଣ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୩/୫) : ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ସଠିକ ଏସ୍.ଆଇ.ଏ.ରିପୋର୍ଟ ଉପରେ ନିର୍ଭର କରୁଛି ଆଦିବାସୀଙ୍କ ଜୀବନ-ଜୀବିକା ।

ଜୟପୁର- ନବରଙ୍ଗପୁର ନୂତନ ଓସାରିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ନିମନ୍ତେ ଏକର ୧୩୪.୫୮୧ ଡେସିମିଲ ଭୂମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଅଧିସୂଚନା RDM-LAB-KPT-0011-2021-35158/R&DM,ତା.୧୭/୧୦/୨୦୨୨ ରିଖରେ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ତା ୧୨/୫/୨୦୨୩ ରିଖରେ ବୋରିଗୁମ୍ମା ଠାରେ ଜନ ଶୁଣାଣି କରାଯାଇଥିଲା । ପ୍ରାପ୍ତ ସୂଚନା ଅନୁସାରେ ଏଥି ପୂର୍ବରୁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର କିଛି କର୍ମଚାରୀଙ୍କ ଦ୍ୱାରା ସମ୍ଭାବ୍ୟ କ୍ଷତିଗ୍ରସ୍ତ କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ସର୍ଭେ କରାଯାଇଥିଲା । କିନ୍ତୁ,ସର୍ଭେ ସମୟରେ ପ୍ରାପ୍ତ କରିଥିବା ତଥ୍ୟ ତଥା ଜନ ସାଧାରଣଙ୍କ ସମସ୍ୟା ତଥା ପ୍ରସ୍ତାଵ ଆଶ୍ଚର୍ଯ୍ୟ ଜନକ ଭାବେ ଜନ ଶୁଣାଣି ସମୟରେ ଉପସ୍ଥାପନ କରି ନ ଥିବା ଅଭିଯୋଗ ହୋଇଛି ।

ଏ ନେଇ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ଗତ କାଲି ଲିଖିତ ଅଭିଯୋଗ କରାଯାଇଛି । ଦୁଲାଗୁଡା, ଶିଶାଗୁଡା, ଖିଆଲଗୁଡା ପ୍ରଭୃତି ଗ୍ରାମର ଗ୍ରାମବାସୀମାନେ ଏ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ବୋରିଗୁମ୍ମା ତହସିଲଦାର ମଧ୍ୟ ଏ ବାବଦରେ ଉପ ଜିଲ୍ଲାପାଳଙ୍କୁ ଲିଖିତ ରୁପେ ଅବଗତ କରିଛନ୍ତି । ଅନୁସୂଚିତ ଜାତିର କିଛି ବ୍ୟକ୍ତି ବିଶେଷଙ୍କୁ ସରକାର ଜମି ପ୍ରଦାନ କରିଛନ୍ତି । ଦୁଲାଗୁଡା ଠାରୁ ବାରାଙ୍ଗଗୁଡାର ପୂର୍ବ ଦିଗରେ ରେଳପଥ ଗଲେ ଠିକ୍ ହେବ ବୋଲି ଏହି ଗ୍ରାମବାସୀ ମାନେ ପ୍ରତ୍ୟେକ ଗ୍ରାମସଭାରେ ଯୁକ୍ତି ଉପସ୍ଥାପନ କରି ଆସୁଛନ୍ତି । ବୋରିଗୁମ୍ମା ତହସିଲଦାର ମଧ୍ୟ ଏ ସମ୍ପର୍କରେ ବିକଳ୍ପ ରେଳ ଷ୍ଟେସନ ଓ ରାସ୍ତା ନିର୍ମାଣ ପାଇଁ ରିପୋର୍ଟ ପ୍ରଦାନ କରି ସାରିଛନ୍ତି । ଯଦି ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଦ୍ୱାରା ନିରପେକ୍ଷ ଭାବରେ ଏସ୍.ଆଇ.ଏ. ରିପୋର୍ଟ ପ୍ରଦାନ କରା ନ ଯାଏ, ତା ହେଲେ କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ପ୍ରତି ଘୋର ଅନ୍ୟାୟ ହେବ ବୋଲି ସାଧାରଣରେ ଦାବି ଜୋର ଧରିଛି ।