ମା’କୁ ମାରିଲା, ସୁଟକେଶ୍‌ରେ ଧରି ଥାନାରେ ପହଞ୍ଚିଲା

0
87
ମା’କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୩/୦୬) : ନିଜ ମା’ ସହ ହେଉଥିବା ସବୁଦିନିଆ କଳହ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଥିଲା ଝିଅ । ଏହାର ଏକ ସ୍ଥାୟୀ ସମାଧାନ କରିବାକୁ ଯାଇ ଘଟାଇଲା ଜଘନ୍ୟ କାଣ୍ଡ । ନିର୍ଦ୍ଦୟ ଝିଅର ଜଘନ୍ୟ କାଣ୍ଡ; ମା’କୁ ମାରିଲା, ସୁଟକେଶ୍‌ରେ ଧରି ଥାନାରେ ପହଞ୍ଚିଲା ।

ଯେଉଁ ମା’ ଜନ୍ମ ଦେଇଥିଲା, ପଣତ କାନିରେ ପୋଛି ହାତ ଧରି ବଡ଼ କରିଥିଲା ଶେଷରେ ତା’ର ଜୀବନ ନେବାକୁ ପଛାଇଲା ନାହିଁ ନିର୍ଦ୍ଦୟ ଝିଅ । ନିଜ ମା’କୁ ହତ୍ୟା ପରେ ଏକ ସୁଟକେଶରେ ଭର୍ତ୍ତି କରି ପୁଲିସ୍‌ ଷ୍ଟେଶନରେ ପହଞ୍ଚିଲା ଝିଅ । ଶେଷରେ ପୁଲିସ୍‌ ମୃତଦେହ ଜବତ କରି ଅଭିଯୁକ୍ତା ଝିଅକୁ ଗିରଫ କରିଛି । ଏପରି ଏକ ଲୋମଟାଙ୍କୁରା ଘଟଣା ବେଙ୍ଗାଲୁରୁରେ ଘଟିଛି । ଅଭିଯୁକ୍ତା ଝିଅର ବୟସ ୩୯ ବର୍ଷ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ଜଣେ ଫିଜିଓଥେରାପିଷ୍ଟ ଭାବେ କାମ କରୁଥିଲେ । ଅଭିଯୁକ୍ତାଙ୍କ ନିଜ ଘର କୋଲକତାରେ ହୋଇଥିବା ବେଳେ ବିବାହ ପରେ ସେ ନିଜ ସ୍ୱାମୀଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ। ତାଙ୍କ ନିକଟରେ ତାଙ୍କ ଶାଶୁ ଓ ମା’ ମଧ୍ୟ ରହୁଥିଲେ ।

ହେଲେ ବିଭିନ୍ନ କାରଣରୁ ତାଙ୍କର ନିଜ ମା’ଙ୍କ ସହ ସମ୍ପର୍କ ଭଲ ନ ଥିଲା। ଏପରିକି ଉଭୟ ମା’ ଝିଅଙ୍କ ମଧ୍ୟରେ ଝଗଡ଼ା ଏକ ନିୟମିତ କଥାରେ ପରିଣତ ହୋଇଥିଲା । ଏଥିରେ ଅତିଷ୍ଠ ହୋଇ ମହିଳାଜଣକ ଘଟଣାଦିନ ନିଜ ବେଡରୁମ୍‌ରେ ଏକ ଧାରୁଆ ଅସ୍ତ୍ରରେ ମା’ଙ୍କୁ ହତ୍ୟା କରିଥିଲେ । ଏହାପରେ ମା’ଙ୍କ ମୃତଦେହକୁ ଏକ ସୁଟକେଶ୍‌ରେ ଭର୍ତ୍ତି କରି ନିକଟସୋଥ ପୁଲିସ୍‌ ଷ୍ଟେଶନରେ ପହଞ୍ଚିଥିଲେ। ପୁଲିସ୍‌ ସୁଟକେଶରେ ଜଣେ ମହିଳାଙ୍କ ମୃତଦେହ ଦେଖି ତାଜୁବ ହୋଇ ଯାଇଥିଲା । ଏହାପରେ ଘଟଣା ସମ୍ପର୍କରେ ଅଭିଯୁକ୍ତାଜଣକ ପୁଲିସ୍‌କୁ ସବିଶେଷ ତଥ୍ୟ ଦେଇଥିଲେ । ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଛି। ଘଟଣା ବେଳେ ମହିଳାଙ୍କ ସ୍ୱାମୀ ବାହାରକୁ ଯାଇଥିବା ବେଳେ ତାଙ୍କ ଶାଶୂ ଅନ୍ୟ ରୁମ୍‌ରେ ଥିବାରୁ ଜାଣି ପାରି ନ ଥିବା ପୁଲିସ୍‌କୁ କହିଛନ୍ତି ।