ଅପହରଣ ବେଳେ ଗାଡିରୁ ଡେଇଁ ପଡିଲେ ଯୁବକ, ମେଡିକାଲରେ ଭର୍ତ୍ତି

0
70
ଅପହରଣ ବେଳେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୯/୦୬) : ଅପହରଣ ବେଳେ ଗାଡିରୁ ଡେଇଁ ପଡିଲେ ଯୁବକ । ଏଭଳି ଘଟଣା ଘଟିଛି ଉଦଳା – କପ୍ତିପଦା ରାସ୍ତାର ଭୀମତାଳି ଛକ ନିକଟରେ ।

ଉଦଳା ଥାନା ଆଦିପୁର ଗ୍ରାମର ଯୁବକ ବାଲିଆ ମାରାଣ୍ଡି କିଡ଼ନୀ ରୋଗ ନିମନ୍ତେ ଦେଶୀ ଚିକିତ୍ସା କରନ୍ତି । ଗତକାଲି ମଧ୍ୟାହ୍ନରେ ହଠାତ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଆସି ତାଙ୍କୁ ଜଣେ ରୋଗୀଙ୍କ ଚିକିତ୍ସା କରିବା ନିମନ୍ତେ ଇଟାଗଡ଼ ଗ୍ରାମକୁ ନେଇଥିଲେ । ହେଲେ ସେଠାରୁ ରୋଗୀ ଜଣକ ଉଦଳା ଡାକ୍ତରଖାନାରେ ଥିବା କହି ବାଲିଆଙ୍କୁ ଏକ ବୋଲେରୋରେ ବସାଇ ଉଦଳା ନେଇଥିଲେ । କିନ୍ତୁ ଡାକ୍ତରଖାନା ନ ନେଇ ବାଲିଆଙ୍କୁ କପ୍ତିପଦା ଅଭିମୁଖେ ନେଇ ଯାଇଥିଲେ । ବାଲିଆ ବୋଲେରୋ ଭିତରେ ଏହାକୁ ବିରୋଧ କରିବାରୁ ତାଙ୍କ ବେକରେ କଟୁରୀ ଏବଂ ଭୁଜାଲି ଲଗାଇ ତାଙ୍କୁ ମାରିଦେବେ ବୋଲି କହିଥିଲେ ଅପହରଣକାରୀ । ଅପହରଣ ବେଳେ ନିଜକୁ ବଞ୍ଚାଇବା ପାଇଁ ଚଳନ୍ତା ଗାଡିରୁ ଡେଇଁ ପଡ଼ିଥିଲେ ବାଲିଆ ମାରାଣ୍ଡି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ନେଇ ସେ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।