ଅଟୋ ରଖିବାକୁ କେନ୍ଦ୍ର କରି ବଚସା : ଯୁବକଙ୍କୁ ହତ୍ୟା

0
63

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୪/୦୭) : ଯୁବକଙ୍କୁ ପିଟିପିଟି ମାରିଦେଲେ । ଏଭଳି ଅମାନୁଷିକ ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ପଣ୍ଡରାପିଟା ଗାଁ’ରେ I ମୃତକ ଜଣକ ହେଲେ ଭାସ୍କର ତାଣ୍ଡି ।

ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତକାଲି ସନ୍ଧ୍ୟା ସମୟରେ ଗାଁ’ର କିଛି ଅସାଧୁ ଲୋକଙ୍କ ସହ ଭାସ୍କର ତାଣ୍ଡିଙ୍କ ବଚସା ହୋଇଥିଲା ।ପରେ ଏହା ଉଗ୍ରରୂପ ନେବା ସହ ଭାସ୍କରକୁ ପିଟି ପିଟି ଲହୁଲୁହାଣ କରିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଘଟଣା ନେଇ ତଦନ୍ତ ଆରମ୍ଭ କରିଥିଲା ସଦର ପୋଲିସ । ଅଭିଯୁକ୍ତ ପ୍ରେମରାଜ ପୋଢ଼କୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ । ତେବେ ଅଟୋ ରଖାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି ସଦର ଥାନା ଅଧିକାରୀ ।

ପୋଲିସ ସୂଚନା ଅନୁସାରେ, ଗତକାଲି ମୃତ ଭାସ୍କରଙ୍କ ଘର ଆଗରେ ଅଟୋ ରଖିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଭାସ୍କର ଅଟୋର କାଚ ଭାଙ୍ଗି ଦେବା ପରେ ଅଭିଯୁକ୍ତ ତା ମୁଣ୍ଡରେ ପିଟି ଥିଲା । ତାକୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସଦର ପୋଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ପ୍ରେମରାଜ ପୋଢ଼ଙ୍କୁ ଗିରଫ କରିଛି । ଏବଂ ମେଡିକାଲ ଚେକଅପ ପରେ ଅଭିଯୁକ୍ତ ପ୍ରେମରାଜ ପୋଢ଼କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ।