ମୋଟରସାଇକେଲ କୁ ଧକ୍କା ଦେଲା ଘରୋଇ ବସ୍‌ : ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

0
75

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୦୭) : ସୋନପୁର ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରେ ବିଭିନ୍ନ ସମୟ ରେ ରାସ୍ତା ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି l

ଗତବର୍ଷ ମଧ୍ୟ ଏହି ଛକ ପାଖା ପାଖି ଅଟୋ କୁ ଧକ୍କା ଦେଇଥିଲା ଏକ କାର l ଫଳରେ ଅଟୋ ରେ ଥିବା ଚାରି ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା l ଦ୍ରୁତ ଗତିରେ ଗାଡି ଚାଳନା ନା ଆଉ ଅନ୍ୟ କିଛି ଦୁର୍ଘଟଣା ର ମୁଖ୍ୟ କାରଣ ତାହା ବେଳେ ବେଳେ ଜାଣିବା କଷ୍ଟକର ହୋଇପଡୁଛି l ସୋନପୁର ସିଆଲ୍‌ଜୁରି ନିକଟରେ ବାଇକ୍‌କୁ ଧକ୍କା ଦେଲା ବସ୍‌ । ଏହି ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବାଘପାଲି ଗାଁ’ର ଦୁଶାସନ ସାହୁ ବୋଲି ଜଣାପଡିଛି । ବାଇକ୍‌ ଯୋଗେ ନିଜ ଘରକୁ ଫେରିବା ବେଳେ ଘଟିଲା ଦୁର୍ଘଟଣା । ଖବର ଅନୁଯାୟୀ, ବାଘପାଲି ଗାଁ’ର ଦୁଶାସନ ସାହୁ ଏବଂ କୁନ୍ତି ସାହୁ ଉଭୟ ସ୍ୱାମୀ ସ୍ତ୍ରୀ ବାଇକ ଯୋଗ ନିଜ ଘରକୁ ଫେରୁଥିଲେ ।

ସିଆଲଜୁରି ନିକଟରେ ଚକାଡୋଲା ନାମକ ଏକ ଘରୋଇ ବସ୍‌ ଉଭୟଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟେ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ତେବେ ବୁର୍ଲା ନେବା ବାଟରେ ଦୁଶାସନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଛି । ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।