1. Best News: ପୁଣି ଅଲୋଡା ହେଲା ଶିଶୁ କନ୍ୟା : ବୁଦାମୂଳରୁ ଉଦ୍ଧାର

0
64
ପୁଣି ଅଲୋଡା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୦୭) : ପୁଣି ଅଲୋଡା ହେଲା ଶିଶୁ କନ୍ୟା- ଆଜି ପାହାନ୍ତିଆର ପ୍ରାୟ ସାଢେ ପାଞ୍ଚଟା ସମୟରେ ନବଜନ୍ମିତ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି ।

ସହରର ଲଲୁ ପଡିଆ ନିକଟରେ ଏକ ବୁଦାମୂଳେ ପୁଣି ଅଲୋଡା ଶିଶୁକନ୍ୟାଟି ପଡିଥିବା ବେଳେ ସ୍ଥାନୀୟ ଜଣେ ମହିଳା ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି । ଶିଶୁ କନ୍ୟାକୁ ଜିଲ୍ଲା ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉଦ୍ଧାର ହୋଇଥିବା ଶିଶୁକନ୍ୟା ଚିକିତ୍ସାଳୟକୁ ପହଂଚିବା ପରେ ଶିଶୁ କନ୍ୟାକୁ ସ୍ବତନ୍ତ୍ର ସେବା ଓ ନିରୀକ୍ଷଣ ପ୍ରକୋଷ୍ଠରେ ରଖାଯାଇଛି । ଚିକିତ୍ସାଳୟକୁ ପହଂଚିବା ସମୟରେ ଶିଶୁ କନ୍ୟା ଦେହରେ ତାପମାତ୍ରା ଅଧିକ ଥିବା ବେଳେ ହୃଦକ୍ରିୟା ବେଶ ଧିମା ଗତିରେ ଚାଲୁଥିଲା ।

ଦୁର୍ବଳ ସ୍ବାସ୍ଥ୍ୟ ଯୋଗୁଁ ଶିଶୁ କନ୍ୟା ଆଖି ଖୋଲି ପାରୁ ନ ଥିଲା । ଶରୀରର ଉତ୍ତାପ ଦେଖି ତୁରନ୍ତ ଡାକ୍ତର ତାକୁ ନିରୀକ୍ଷଣ ପ୍ରକୋଷ୍ଠରେ ରଖି ଚିକିତ୍ସା ଆରମ୍ଭ କରି ଦେଇଥିଲେ । ପ୍ରାୟ ତିନି ଘଣ୍ଟାର ଚିକିତ୍ସା ପରେ ଶିଶୁ କନ୍ୟାର ସ୍ବାସ୍ଥ୍ୟ ଏବେ ସ୍ଥିର ଥିବା ଡାକ୍ତର ଦିଲିପ କୁମାର ପୁରୋହିତ ପ୍ରକାଶ କରିଛନ୍ତି । ତେବେ ଦୁର୍ବଳ ସ୍ବାସ୍ଥ୍ୟ ଓ ଅଧିକ ଚିକିତ୍ସା ପାଇଁ ଶିଶୁ କନ୍ୟାକୁ ବଲାଂଗିର ଭୀମଭୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଡାକ୍ତର ଜଣାଇଛନ୍ତି ।

ତେବେ ଖବର ଜଣା ପଡିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ଚିକିତ୍ସାଳୟକୁ ପହଂଚି ଶିଶୁ କନ୍ୟାର ସ୍ବାସ୍ଥ୍ୟ ଓ ଚିକିତ୍ସା ସଂପର୍କରେ ଡାକ୍ତରଙ୍କ ସହିତ ପରାମର୍ଶ କରିଛନ୍ତି । ଶିଶୁ କନ୍ୟାଟି ପ୍ରାୟ ୨୮ ସପ୍ତାହ ହୋଇଥିବା ଡାକ୍ତର ଅନୁମାନ କରିଥିବାବେଳେ ତାହାର ଓଜନ ୮୦୦ ଗ୍ରାମ ଅଛି । ତେବେ ଶିଶୁ କନ୍ୟାଟିର ନାଭି ଦେଖିବା ପରେ ପ୍ରସୂତି ମା ତାକୁ ଘରେ ଜନ୍ମ ଦେଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।

ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ମହିଳା ଜଣକ ତାଙ୍କ ନାମ ଗୋପନ ରଖିଥିବା ବେଳେ ଶିଶୁ କନ୍ୟାକୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତରଙ୍କ ପାଖରୁ ଅନୁମତି ମାଗି ଚିକିତ୍ସାଳୟ ପରିତ୍ୟାଗ କରିଥିବା ସୂଚନା ମିଳିଛି । ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଉଭୟେ ଶିଶୁକୁ ଆବଶ୍ୟକ ଚିକିତ୍ସା ଓ ସେବା ଯୋଗାଇ ଦେବା ସହିତ ଶିଶୁ ଉତ୍ତମ ସ୍ବାସ୍ଥ୍ୟ ଲାଭ କରିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ବିଷୟ ଏବେ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।