ସହର ଗଳିକନ୍ଦି ରେ ଘୁରି ବୁଲୁଛନ୍ତି ଭଦ୍ର ଚୋର

0
106
ସହର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୦୯) : ରାୟଗଡା ସହର ଗଳିକନ୍ଦି ରେ ଘୁରି ବୁଲୁଛନ୍ତି ଭଦ୍ର ଚୋର

ନିଜ ଘର ବାହାରେ ପଡ଼ିଥିବା ଲୁହା ଟିଣ ଠୁଁ ଆରମ୍ଭ କରି, ଲୁହା ଛଡ଼, ଘର ବାରଣ୍ଡାରେ ଥିବା ବାଲଟି, ସାଇକେଲ ଯାହା ମିଳୁଛି ଏମାନେ ଉଠାଇ ନେଉଛନ୍ତି, ଏପରିକି କିଛି ଅସାମାଜିକ ବ୍ୟକ୍ତି ଏବଂ ମଦ୍ୟପ ମାନଙ୍କୁ ମଧ୍ୟ ପକେଟ୍ ଖର୍ଚ୍ଚ ଓ ମଦ ପିଇବା ପାଇଁ ସୁବିଧା ହେଇଗଲା ଏମାନଙ୍କ ବ୍ୟବସାୟ ଯୋଗୁଁ । କୌଣସି ଜିନିଷ ନେଇ ଯାଉଥିବାର ଲୋକେ ଦେଖିଦେଲେ ବିକ୍ରୀ କରିବ କି ବୋଲି ପଚାରୁଛନ୍ତି ନ ଦେଖିଲେ ସିଧା ସଳଖ ଗାଡ଼ିରେ ଲଦି ଦେଇ ଚାଲି ଯାଉଛନ୍ତି । ଲୋକେ ପଚାରିଲେ କହୁଛନ୍ତି ଜଣେ ଲୋକ ଆଣି ଆମକୁ ଏହି ଜିନିଷ ବିକ୍ରୀ କରିଲେ । ଯାହାର ଜିନିଷ ହଜୁଛି ସେମାନେ ଚିନ୍ତାରେ ରହୁଛନ୍ତି ଯେ ଏହି ପୁରୁଣା ଜିନିଷ ହଜିଗଲା ବୋଲି କାହାକୁ ଅଭିଯୋଗ କରିବେ । ଲୋକେ ମଧ୍ୟ ଦ୍ଵନ୍ଦ ଏବଂ ଚିନ୍ତିତ ହୋଇ ରହୁଛନ୍ତି ଯେ, ପଚାରିବୁ ତ କାହାକୁ ପଚାରିବୁ ବୋଲି !

ଏହିଭଳି ଦୃଶ୍ୟ ଦେଖିବାକୁ ମିଳୁଛି ସକାଳ ହେଲେ ରାୟଗଡ଼ ସହର ର ଗଳି କନ୍ଦି ଏବଂ ରାସ୍ତା ଉପରେ । ଅଟୋ ରେ ଦୁଇଟି ଲାଉଡ ସ୍ପିକର ବାନ୍ଧି ଉଚ୍ଚ ସାଉଣ୍ଡ କରି ତେଲୁଗୁ ଭାଷାରେ ପ୍ରଚାର୍ କରି ବୁଲୁଛନ୍ତି ଆନ୍ଧ୍ର ର କିଛି ଅଟୋ ଗୁଡାକ । ହେଲ ମାଷ୍ଟର ତୁମ ଘର ପାଖକୁ ଆସିଚୁ, ଆଉ କିଛି ସମୟ ରହିବୁ, ବଜାରକୁ ଯାଇ ବିକ୍ରୀ କରିଲେ କମ୍ ଟଙ୍କା ମିଳିବ, ଆମ ପାଖରେ ବିକ୍ରୀ କରିଲେ ଆପଣ ଙ୍କ ଶ୍ରମ ବଞ୍ଚିଯିବ ଏବଂ ଉଚିତ୍ ମୂଲ୍ୟ ମିଳିବ । ଏହିଭଳି ପ୍ରଚାର କରି ସ୍କ୍ରାପ ଗାଡି ବୁଲିବା ଠାରୁ ନିଜ ଘର ବାରଣ୍ଡାରେ ଜିନିଷ ରଖିବା ପାଇଁ ଭୟ କରୁଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହିଭଳି ଦୃଶ୍ୟ ଆଗରେ ଦେଖିବାକୁ ମିଳୁ ନ ଥିଲା ।

ବର୍ତ୍ତମାନ୍ ଦିନ ଦ୍ୱିପହର ଘର ଦାଣ୍ଡରୁ ଓ ବାରି ରୁ ପୁରୁଣା ଘରୋଇ ଉପକରଣ ଜିନିଷ ପତ୍ର ଚୋରୀ ହୋଇଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ପୌର ପରିଷଦ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି ।