ଟ୍ରକ୍‌ ଚକା ତଳେ ଚାପିହୋଇ ଚାଲିଗଲା ୫ ବର୍ଷୀୟ ଶିଶୁର ଜୀବନ 

1
50
ଟ୍ରକ୍‌ ଚକା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୭/୧୦) : ଟ୍ରକ୍‌ ଚକା ତଳେ ଚାଲିଗଲା ୫ ବର୍ଷୀୟ ଶିଶୁର ଜୀବନ । ଏହି ଦୁର୍ଘଟଣାରେ ବାପା, ଆଇ ବି ଗୁରୁତର ହେଲେ ।

ଏହାପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ବୁଝାଇବାକୁ ଯାଇଥିବା ପୁଲିସ୍‌ ହେଲା ଆକ୍ରୋଶର ଶିକାର । ପୁଲିସ୍ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ତ୍ୟକ୍ତ ଲୋକେ । ଫଳରେ ପୁଲିସ୍‌ ଛତ୍ରଭଙ୍ଗ ଦେଇ ଘଟଣାସ୍ଥଳରୁ ପଳାଇଥିବା ଜଣାଯାଇଛି । ଏପରି ଏକ ଘଟଣା ଗତ ରାତିରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଘଟିଛି । ଗତ କାଲି ରାତିରେ ଧୋବାଡିହାର ଜଣେ ବ୍ୟକ୍ତି ନିଜ ପୁଅ ପୀୟୂଷ ନାଏକ ଓ ଶାଶୁଙ୍କ ସହ ବାଇକ୍‌ରେ ଯଶୀପୁର ମେଡିକାଲ ଯାଉଥିଲେ । ସେଠାରେ ସମ୍ପର୍କୀୟ ଆଡମିଟ ହୋଇଥିବାରୁ ସେମାନେ ତାଙ୍କୁ ଦେଖିବାକୁ ଯାଇଥିଲେ । ମାତ୍ର ବିଧିରେ କିଛି ଅଲଗା ଲେଖାଥିଲା ।

ସେମାନେ ୪୯ ନଂ ଜାତୀୟ ରାଜପଥର ରରୁଆଁ ଛକ ନିକଟରେ ଯାଉଥିବା ବେଳେ ପଛରୁ ଏକ ଗାଡ଼ି ସାଇଡ୍‌ ମାରିବାକୁ ପଡ଼ି ଯାଇଥିଲେ । ଉକ୍ତ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ପିଲାଟି ଉପରେ ଚଢ଼ାଇ ଦେଇଥିଲା । ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ତା’ ବାପା ଓ ଆଇ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଯଶୀପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ମୃତ୍ୟୁକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ତୁରନ୍ତ ଜାତୀୟ ରାଜପଥ ମରାମତି ଦାବିରେ ସ୍ଥାନୀୟ ଲୋକେ ଦ୍ଵାରା ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ।

ଖବର ପାଇ ଘଟଣା ସ୍ଥଳରେ ଯଶୀପୁର ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ମାତ୍ର ଉତ୍ତ୍ୟକ୍ତ ଲୋକେ ହଠାତ୍‌ ତାତି ଯାଇ ପୁଲିସ୍ ଅଧିକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଫଳରେ ପୁଲିସ୍‌ କର୍ମୀମାନେ ଘଟଣା ସ୍ଥଳରୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ । ତେବେ ଆଜି ପର୍ଯ୍ୟନ୍ତ ଏନେଇ ପୁଲିସ୍‌ କୌଣସି ମାମଲା ରୁଜୁ କରି ନ ଥିବା ବେଳେ ଏ ସମ୍ପର୍କରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଜଣା ପଡ଼ିଛି ।

1 COMMENT

Comments are closed.