ଶ୍ୱଶୁର ଘରେ ନିଜ ସ୍ତ୍ରୀ କୁ ହତ୍ୟା କରି ଫେରାର ହୋଇଯାଇଥିବା ସ୍ୱାମୀ କୁ ଗିରଫ କଲା ପୋଲିସ

0
155

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୭/୦୯) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଆଗଲପୁର ଫାଣ୍ଡି ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଶ୍ୱଶୁର ଘରେ ନିଜ ସ୍ତ୍ରୀକୁ ହତ୍ୟା କରି ଫେରାର ହୋଇ ଯାଇଥିବା ସ୍ୱାମୀକୁ ପୋଲିସ ଗିରଫ କରିଛି ।

ପ୍ରକାଶ ଯେ ୨୦୧୪ ମସିହାରେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଡୁଙ୍ଗୁରିପାଲି ଗାଁର ଗାନ୍ଧିଲାଲ ସାହୁ (୩୨)ଫଟାମୁଣ୍ତା ଗାଁର ଜଗନ୍ନାଥ ସାହୁଙ୍କ ଝିଅ କସ୍ତୁରୀ ସାହୁ(୨୫)ଙ୍କୁ ବୈଦିକ ରୀତିରେ ବିବାହ କରିଥିଲା । ଇତିମଧ୍ୟରେ ସେମାନଙ୍କ ଗୋଟିଏ ୫ବର୍ଷ ବୟସର ପୁଅ ଏବଂ ଗୋଟିଏ ୩ବର୍ଷ ବୟସର ଝିଅ ଅଛନ୍ତି । ଗାନ୍ଧିଲାଲ ଅଧିକାଂଶ ସମୟରେ ମଦ ପିଇ ସ୍ତ୍ରୀ କସ୍ତୁରୀଙ୍କୁ ମାଡ଼ ମାରୁଥିଲା । ନିର୍ଯ୍ୟାତନା ଅସହ୍ୟ ହେବାରୁ ଚାରିମାସ ତଳେ କସ୍ତୁରୀ ତାଙ୍କ ବାପ ଘରକୁ ଚାଲିଆସିଥିଲେ । ମାସେ ହେଲା ଗାନ୍ଧିଲାଲ ମଧ୍ୟ ଫଟାମୁଣ୍ତାକୁ ଆସି ସ୍ତ୍ରୀ ଓ ଛୁଆପିଲାଙ୍କ ସହିତ ରହୁଥିଲା । ରବିବାର ବିଳମ୍ବିତ ରାତିରେ ଶ୍ୱଶୁର ଘରେ କସ୍ତୁରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଗାନ୍ଧିଲାଲ ଫେରାର ହୋଇଯାଇଥିଲା ।

ଏନେଇ ସୋମବାର କସ୍ତୁରୀଙ୍କ ଭାଇ ସୁଶାନ୍ତ ସାହୁ ଆଗଲପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରେ ଲୋଇସିଂହା ଥାନା ପୋଲିସ ଅଭିଯୁକ୍ତ ଗାନ୍ଧିଲାଲ କୁ ଭରସୁଜା ପାଖରୁ ଗିରଫ କରିଛି ।