ରାତିରେ ହାତ ଧୋଉଥିଲେ ନାବାଳିକା, ଟେକି ନେଲେ ଦୁର୍ବୃତ୍ତ

0
44
ରାତିରେ ହାତ ଧୋଉଥିଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୨୩/୧୨) : ରାତିରେ ଘର ପିଣ୍ଡାରେ ହାତ ଧୋଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ । ଏପରି ହୃଦୟ ବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳରେ ଘଟିଛି ।

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଭବାନୀପାଟଣା ସଦର ଥାନା ଅଞ୍ଚଳର ନାବାଳିକ ରୀତା(ଛଦ୍ମନାମ) ଜୁନାଗଡ ବ୍ଳକ୍‌ର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ବୁଧବାର ରାତିରେ ସେ ହାତ ଧୋଇବା ପାଇଁ ବାହାରକୁ ଆସିଥିଲେ । ଠିକ୍‌ ସେହି ସମୟରେ ୫ରୁ ୬ ଯୁବକ ତାଙ୍କ ମୁହଁରେ ହାତ ଦେଇ ଗାଁ ପୋଖରୀ ପାର୍ଶ୍ୱ ଜଙ୍ଗଲକୁ ଟେକି ନେଇଥିଲେ । ସେଠାରେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଯାହାଫଳରେ ଚେତା ହରାଇଥିଲେ ରୀତା । ଦୁର୍ବୃତ୍ତମାନେ ମରି ଯାଇଥିବା ଭାବି ସେଠାରୁ ପଳାଇ ଯାଇଥିଲେ ।

ରୀତା ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ପରେ ଗାଁ ଲୋକେ ଏନେଇ ପରିବାର ଲୋକ ଓ ଜୁନାଗଡ଼ ଥାନାକୁ ଖବର ଦେଇଥିଲେ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁଲିସ୍‌ ଭବାନୀପାଟଣା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା । ଏବେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ପୀଡ଼ିତା। ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି । ସେପଟେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆକ୍ସନ ମୁଡରେ ପୁଲିସ୍‌ ।