ନାଳ ନିକଟରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

0
43
ନାଳ ନିକଟରୁ ଯୁବକଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୩/୧୨) : ନାଳ ନିକଟରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ପଥରରେ ମୁଣ୍ଡକୁ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।

ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତେଲନଦୀ ଗ୍ରାମରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମସିଂ ଜାନି । ଅଭିଯୋଗ ଅନୁସାରେ, କୋଡିଙ୍ଗା ଥାନା ଅନ୍ତର୍ଗତ ଦାଓମାଳ ଗ୍ରାମର ରାମସିଂ ଜାନି ଓ ତାଙ୍କ ସ୍ତ୍ରୀ ରାଧାମଣୀ ଜାନି ଉମରକୋଟ ଥାନା ଅନ୍ତର୍ଗତ ତେଲନଦୀ ଗାଁ’ର ଫେଙ୍ଗସାହୀକୁ କୁଣିଆ ଭାବେ ବୁଲିବାକୁ ଆସିଥିଲେ । ଠିକ୍ ସେହିପରି ଜଗଦଲପୁର ନିଆନା ଗ୍ରାମର ନରେଶ ଧରୁଆ ଓ ତାଙ୍କ ସ୍ତ୍ରୀ ଭଗବତୀ ଧରୁଆ ମଧ୍ୟ ତେଲନଦୀ ଗାଁ’କୁ କୁଣିଆ ଭାବେ ଆସିଥିଲେ ।

ଗତ ୨୧ ତାରିଖ ଦିନ ନରେଶ ଧରୁଆ ଓ ରାମସିଂ ଜାନି ମଦ ପିଇବାକୁ ସକାଳୁ ଘରୁ ବାହାରିଥିଲେ । ନରେଶ ଘରୁ ଫେରିଥିବା ବେଳେ ରାମସିଂ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ । ତା’ ପରଦିନ ଫେଙ୍ଗସାହୀ ଗାଁ ନିକଟରେ ଥିବା ନାଳ ନିକଟରେ ରାମସିଂଙ୍କ ରକ୍ତଜୁଡ଼ୁବୁଡୁ ମୃତଦେହ ପଡ଼ିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷରେ ରାମସିଂଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି ।