ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ କାର୍ଯ୍ୟକ୍ରମ

0
34
ପ୍ରଥମ ବିଶ୍ଵ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୨) : ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କାଶୀନଗର ପଞ୍ଚାୟତ ସମିତି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏ ଉପଲକ୍ଷେ ଆୟୋଜିତ ସମାବେଶରେ ସମିତି ଅଧ୍ୟକ୍ଷା ବି. ସାୟାମ୍ମା ସଭାପତିତ୍ୱ କରିଥିବା ବେଳେ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ପାଢ଼ୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ନର୍ମଦା ଦାସ , ବୁଦୁରା ସମିତି ସଭ୍ୟ ବାବୁ ରାଓ ସମ୍ମାନିତ ଅତିଥି ଭାବେ ମଂଚାସୀନ ହୋଇଥିଲେ । ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ରାଜ୍ୟ ସଭାପତି କବି ପ୍ରଶାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଭାଷା ହିଁ ଭବିଷ୍ୟତ ପ୍ରସଙ୍ଗରେ ଆଲୋଚନା କରିବା ସହ କବିତା ଆବୃତ୍ତି କରିଥିଲେ ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବନ୍ଦେ ଉତ୍କଳ ଜନନୀ ସମୂହ କଣ୍ଠରେ ଗାନ କରା ଯିବା ପରେ ସିଧା ପ୍ରସାରଣ ଜରିଆରେ ଉପସ୍ଥିତ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଶୁଣିଥିଲେ . ପରବର୍ତ୍ତୀ ପର୍ଯ୍ୟାୟରେ ପଂଚାୟତ ସମିତି ଦ୍ୱାରା ଚୟନ କରା ଯାଇଥିବା ଭାଷା ସାହିତ୍ୟ କ୍ଷେତ୍ର ସହ ଜଡିତ ପ୍ରତିଭା ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଣ୍ଠଶିଳ୍ପୀ ବି . କୋମଳାଙ୍ଗୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଖାରଡା ପଂଚାୟତର ଲୋକଗୀତି ରଚୟିତା ବୀରବର ପଣ୍ଡା , ଗୋପ ସୁନ୍ଦର ନାୟକ , କେ . ସୀତାପୁର ପଞ୍ଚାୟତର ବିଦ୍ୟାରତ୍ନ ନୀଳ ମାଧବ ଚରତି, ସ୍ୱାସ୍ଥ୍ୟ ବିଳାସ ପତ୍ରିକା ସମ୍ପାଦକ ରାମନାଥ ପାତ୍ର, କବି ପ୍ରଶାନ୍ତ ମିଶ୍ର ଓ ଜୟ କୁମାର ମିଶ୍ରଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ।

ତେବେ ଉଲ୍ଲେଖିତ ପତ୍ରିକା ସମ୍ପାଦକଙ୍କ ପକ୍ଷରୁ କବିରାଜ ରମାକାନ୍ତ ପାତ୍ର ପ୍ରଦତ୍ତ ସମ୍ମାନ ଗ୍ରହଣ କରିଥିବା ବେଳେ ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼ କାର୍ଯ୍ୟକ୍ରମ ବେଳକୁ ଅନୁପସ୍ଥିତ ଥିବାରୁ ତାଙ୍କୁ ସମ୍ମାନିତ କରା ଯାଇ ପାରି ନଥିଲା । ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସହଯୋଗ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଏକ ସ୍ୱାଗତଯୋଗ୍ୟ ଓ ସମୟୋଚିତ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା ।