ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪; ‘ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ’ ସୋମବାର ଅନୁଷ୍ଠିତ

0
34
ବିଶ୍ୱ ଓଡ଼ିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଣାର୍କ, (୫/୨) : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ – ୨୦୨୪ ଅବସରରେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ‘ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ’ ସୋମବାର ଅନୁଷ୍ଠିତ ହୋଇଯାଇଛି ।

କୋଣାର୍କ ସାହିତ୍ୟ ସଂସଦ ଓ ବସନ୍ତମଞ୍ଜରୀ ପାଠାଗାର ଏଥିରେ ସହଯୋଗ କରିଥିଲେ । ପୂର୍ବାହ୍ନରେ କୋଣାର୍କ ଏନ୍ଏସି ଅଫିସ୍ ପରିସରରୁ ମାତୃଭାଷା ସଚେତନତା ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରିଥିଲା । କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଓ ନିର୍ଵାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । କୋଣାର୍କର ୧୦ଟି ଵିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୫ଶହ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକଶିକ୍ଷୟିତ୍ରୀ, ସ୍ଥାନୀୟ ଯୁବଗୋଷ୍ଠୀ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଶୋଭାଯାତ୍ରାରେ ସାମିଲ୍ ହୋଇ ଦୈନନ୍ଦିନ ଜୀବନରେ ଶୁଦ୍ଧ ଓଡ଼ିଆ ଭାଷା ଵ୍ୟଵହାର, ଓଡ଼ିଆରେ ନାମଫଳକ ଓ ପତ୍ରାଚାର କରିବା ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ ।

ଏହାପରେ ଏନ୍ଏସି କଲ୍ୟାଣ ମଣ୍ଡପରେ ଏକ ସାରସ୍ୱତ ସଭାର ଆୟୋଜନ କରାଯାଇଥିଲା । କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସାହିତ୍ୟ ସଭାରେ ବରିଷ୍ଠ ଶିକ୍ଷାବିତ୍ କ୍ଷୀରୋଦ ଚନ୍ଦ୍ର ରାୟମହାପାତ୍ର ମୁଖ୍ୟ ଅତିଥି, ବରିଷ୍ଠ ସଂସ୍କୃତ ଵିଦ୍ୱାନ ହରମୋହନ ମିଶ୍ର ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ରୂପେ ଶିକ୍ଷାଵିତ୍ ଗୋପୀନାଥ କର, ଶିକ୍ଷାଵିତ୍ ଶରତଚନ୍ଦ୍ର ପ୍ରଧାନ, କଵି ଉମାକାନ୍ତ ମହାପାତ୍ର, କବି କାମଦେବ ମହାରଣା, ଶିକ୍ଷାଵିତ୍ ପ୍ରକାଶ ଚନ୍ଦ୍ର ଖଟୋଇ, ସୁବାସ କୁମାର ବରାଳ, ଶିକ୍ଷାବିତ୍ ଉପେନ୍ଦ୍ର କୁମାର ଭୋଳ ପ୍ରମୁଖ ମଞ୍ଚାସୀନ ହୋଇ ‘ଆମ ଭାଷା ଆମ ପରିଚୟ’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ଏହି ସାରସ୍ୱତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଵା ସହିତ ସଂଯୋଜନା କରିଥିଲେ। ଏହାପରେ ଏକ କଵି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କବୟିତ୍ରୀ ସର୍ଵାଣୀ ଦାସ, କ୍ରିଷ୍ଣା ମହାପାତ୍ର ଓ ସୁଜାତା ସିହ୍ନାଙ୍କ ସଂଯୋଜନାରେ ଆୟୋଜିତ କଵିତାପାଠ କାର୍ଯ୍ୟକ୍ରମରେ ୩୦ଜଣ କଵି ସ୍ବରଚିତ କବିତା ଆବୃତ୍ତି କରିଥିଲେ । ଅପରାହ୍ନରେ ଦ୍ୱିତୀୟ ଅଧିବେଶନରେ ୪୫ଜଣ ସାରସ୍ୱତ ପ୍ରତିଭାଙ୍କୁ ସମ୍ଵର୍ଦ୍ଧନା ଏବଂ ଓଡ଼ିଆ ଭାଷା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା
ବିଭିନ୍ନ ଵିଦ୍ୟାଳୟର ୭୦ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ଏହି ଅଵସରରେ ଇଣ୍ଡିଆ ଵୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ବାଲୁକାଶିଳ୍ପୀ ସରିତା ଗୋଚ୍ଛାୟତ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ପରିଡ଼ା, ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ପାତ୍ର, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲି, ଶିକ୍ଷକ ରାଜକିଶୋର ସେନାପତି ଓ ଶିକ୍ଷକ ରାମକୃଷ୍ଣ ମହାନ୍ତିଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଓ ନିର୍ଵାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ସମସ୍ତ ସାରସ୍ୱତ ପ୍ରତିଭା ଓ ଅତିଥିଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । ଏନ୍ଏସିର ବରିଷ୍ଠ କର୍ମଚାରୀ ପ୍ରକାଶ କୁମାର ଲେଙ୍କା, ଭାଗିରଥୀ ଵରାଳ ଓ ସଂଗ୍ରାମ ସେନାପତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।