ଜିଆଇଇଟି ବିଶ୍ୱବିଦ୍ୟାଳୟରେ ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୨.୦” ଉଦଘାଟିତ

0
53
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୦/୨) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ତିନିଦିନିଆ ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୨.୦” ଉଦଘାଟିତ ହୋଇଯାଇଛି ।

ଏହି ଅବସରରେ ସକାଳେ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସ୍ଥାନୀୟ ଗାନ୍ଧୀ ପବ୍ଲିକ ସ୍କୁଲ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏହି ମାରାଥନ ହୋଇଥିଲା । ଏହାକୁ ବିଶ୍ୱବିଦ୍ୟାଳୟର ଉପସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଓ ରେଜିଷ୍ଟ୍ରାର ଡ଼ ଏନ ଭି ଜେ ରାଓ ସବୁଜ ପତକା ଦେଖାଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ବିଶ୍ୱବିଦ୍ୟାଳୟ କୁଳପତି ଡ଼ ଏ ଭି ଏନ ଏଲ ଶର୍ମା, ସ୍କୁଲ ଅଫ ଇଂଜିନିରିଂର ଡିନ ଡ଼ ଏ ବି ଶ୍ରୀନିବାସ ରାଓ, ପରୀକ୍ଷା ନିୟନ୍ତ୍ରକ ଡ଼ ପି ବିଜୟ କୁମାର, ସମସ୍ତ ବିଭାଗର ଅଧ୍ୟାପକ, ଜାତୀୟ ସେବା ଯୋଜନାର ସ୍ବେଛାସେବୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କେଡ଼ର ଓ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ପରେ ବିଶ୍ୱବିଦ୍ୟାଳୟ ପରିସରରେ ସୃଜନ ୨.୦ ର ଉଦଘାଟନ ଉତ୍ସବ ମେଗା ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବିଶ୍ୱବିଦ୍ୟାଳୟର ଆବାହକ ଡ଼ ବିଭୁ ପ୍ରସାଦ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ବିଷୟ ରେ ସୂଚନା ଦେଇଥିଲେ । ରେଜିଷ୍ଟ୍ରାର ଡ଼ ଏନ ଭି . ଜଗନ୍ନାଧା ରାଓ ଯୋଗ ଦେଇ ବିଶ୍ଵ ବିଦ୍ୟାଳୟର ଉଚ୍ଚମାନର ଶିକ୍ଷାଦାନ ସହ ଅଭିନବୀକରଣ ପାଇଁ ଉତ୍ସାହିତ କରାଯାଉଥିବା ସୂଚନା ଦେଇଥିଲେ । ଏହି ଉଦଘାଟନୀ ଉତ୍ସଵର ମୁଖ୍ୟ ଅତିଥି ଭାବେ ଟିକିରି ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନେସନାଲ ଲିମିଟେଡ଼ ର ସଭାପତି ତଥା ୟୁନିଟ ମୁଖ୍ୟ ଶ୍ରୀ ମଜ଼ହାର ବେଗ୍ ଯୋଗ ଦେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ନିଯୁକ୍ତ କ୍ଷେତ୍ରରେ ସ୍ଵାବଲମ୍ବି ହେବା ପାଇଁ ଉତ୍ସାହିତ କରିଥିଲେ ।

ବିଶ୍ୱବିଦ୍ୟାଳୟର ଉପସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ସହ ନିଜର ଅନ୍ତର୍ନିହିତ ଗୁଣାବଳିର ବିକାଶ ନିମନ୍ତେ ଯତ୍ନବାନ ହେବା ପାଇଁ ଆହ୍ଵାନ ଦେଇଥିଲେ । ମହାନିର୍ଦେଶକ ଡ଼ ଜଗଦୀଶ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ପ୍ରକଳ୍ପକୁ ଆନ୍ତର୍ଜାତକ ସ୍ତରରେ ପରିଚିତ କରାଇବାକୁ କହିଥିଲେ । କୁଳପତି ଡ଼ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ଆସନ୍ତା ଦିନ ମାନଙ୍କରେ ବିଭିନ୍ନ ଆହ୍ବାନ ପାଇଁ ନିଜକୁ ପ୍ରସ୍ତୁତ ହେବା ପାଇଁ କହିଥିଲେ ।

ଏହି ଅବସରରେ ଜାତୀୟ ସେବା ଯୋଜନାର ଏକ ବାର୍ଷିକ ପୁସ୍ତିକା “ପ୍ରୟାସ ” ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ପରିଶେଷରେ ଡ ତୁଷାର କାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ସହ ୧୦୦ ରୁ ଉର୍ଦ୍ଧ ପ୍ରକଳ୍ପ ଯଥା ମଡେଲ ଫିଷ୍ଟା, ୱେଷ୍ଟ ଓ କ୍ରାଫ୍ଟ, ମେଗା ଷ୍ଟ୍ରୋକଚର୍ ,ଲେନ୍ ଗମ୍ବିଂ ଭଳି ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା ।

ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ତୋରଣ ସହ ଆଲୋକୀକରଣ ଅତି ସୁନ୍ଦର ଦେଖା ଯାଉଥିଲା ।ଆଜି ସନ୍ଧ୍ୟାରେ ହାସ୍ୟକାର ଦେବାଶିଷ ରଥ, ରବିବାର ଦିନ ବିଶିଷ୍ଟ ଗାୟିକା ଅସୀମା ପଣ୍ଡା ଏବଂ ସୋମବାର ଦିନ ଶେଷ ରଜନୀରେ ଗାୟକ ବିଶ୍ୱଜିତ ମହାପାତ୍ରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା ।