ରାତି ଅଧରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ପ୍ରତିବାଦ କରିବାରୁ ଦମ୍ପତିଙ୍କୁ ହାଣିଲେ

0
52
ରାତି ଅଧରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୧୫/୦୨) : ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ । ପ୍ରତିବାଦ କରିବାରୁ ଘର ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇଲେ ନାହିଁ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଥାନା ସିମିଳି ସାହି ଗାଁ’ରେ । ସିମିଳି ସାହି ଗାଁ’ର ପ୍ରମୋଦ ପ୍ରଧାନଙ୍କ ଘରର ପଛପଟ କବାଟ ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପଶିଥିଲେ । ରାତିରେ ଠକଠକ୍ ଶଦ୍ଦ ଶୁଣି ଘର ମାଲିକ ପ୍ରମୋଦ ଏବଂ ତାଙ୍କ ପତ୍ନୀ ନିଦରୁ ଉଠି ପଡିଥିଲେ । ହଠାତ୍‌ ଆଖି ଆଗରେ କିଛି ଦୁର୍ବୃତ୍ତଙ୍କୁ ଦେଖି ସେମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଫଳରେ ଦୁର୍ବୃତ୍ତମାନେ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ଏଥିସହ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଅନେକ ମୂଲ୍ୟବାନ ଜିନିଷ ଚୋରି ଫେରାର ହୋଇଗଲେ । ଦମ୍ପତିଙ୍କ ଚିତ୍କାର ଶୁଣି ପଡୋଶୀ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦୁର୍ବୃତ୍ତଙ୍କ ଟେର ମିଳି ପାରିନି ।