ଏକୋଇଶିଆ ଭୋଜି ଖାଇ ଫେରୁଥିଲେ ଦମ୍ପତି, ଟ୍ରକ୍ ସହ ହେଲା ଧକ୍କା

0
35
ଏକୋଇଶିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୧୬/୦୩) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ବଡ଼ପୋଲରେ ଏକ କାର ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି ।

ମୃତକମାନେ ହେଉଛନ୍ତି ଖଡ଼ିଆଳ ଥାନା ରଜାମୁଣ୍ଡା ଗ୍ରାମର ସେନାପତି ବାଗ ଓ ତାଙ୍କ ସ୍ତ୍ରୀ ସରିତା ବାଗ ।ସେନାପତି ଓ ସରିତା ଖଡ଼ିଆଳ ଥାନା ବଡ଼ଦୋହେଲରୁ ଏକୋଇଶିଆ ଭୋଜି ଖାଇ କାର ଯୋଗେ ଫେରୁଥିଲେ । ୩୫୩ ନମ୍ବର ଜାତୀୟ ରାଜପଥରେ ସେମାନେ ଆସୁଥିବା ବେଳେ ବଡ଼ପୋଲ ଛକ ଠାରେ ନୂଆପଡ଼ା ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଆହତ ସେନାପତି ଓ ସରିତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ସେନାପତି ଓ ସରିତାଙ୍କର ତିନୋଟି ଛୁଆ ଅଛନ୍ତି। ଦୁଇ ପୁଅ ସରୋଜ ବାଗ ଓ ରାଜବୀର ବାଗଙ୍କୁ ଯଥାକ୍ରମେ ୧୧ ଓ ୯ ବର୍ଷ ହୋଇଥିବା ବେଳେ ଝିଅ ଚଇତ୍ରା ବାଗଙ୍କୁ ୬ ବର୍ଷ ହୋଇଛି । ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ଯାଞ୍ଚ କରିଥିବା ବେଳେ ଗାଡ଼ି ଦୁଇଟିକୁ ଜବତ କରିଛି। ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି ।