୩ ଲୁଟେରା ଗିରଫ; ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

0
37
୩ ଲୁଟେରା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୨/୦୩) : ମହିଳାଙ୍କ ବେକରୁ ଝାମ୍ପି ନେଇଥିଲେ ସୁନା ଚେନ୍‌ । ୩ ଦିନ ପରେ ୩ ଲୁଟେରାଙ୍କୁ ଧରିବା ସହିତ ପିସ୍ତଲ ଓ ଗୁଳି ଜବତ କରିଛି ପୁଲିସ୍‌ । ସମ୍ୱଲପୁର ପୁଲିସ୍‌କୁ ମିଳିଛି ଏହି ସଫଳତା ।

ଗତ ୧୯ ତାରିଖ ସନ୍ଧ୍ୟା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନ୍‌ହଲ୍‌ ସମ୍ମୁଖରୁ ଏକ ବିବାହ ଉତ୍ସବରୁ ଜଣେ ମହିଳାଙ୍କଠାରୁ ଦୁଇ ଜଣ ଯୁବକ ପଲସରରେ ଆସି ସୁନା ଚେନ୍‌ ଲୁଟି ନେଇଯାଥିଲେ। ଏ ନେଇ ଅଭିଯୋଗ ହେବା ପରେ ତତ୍ପର ହୋଇଥିଲା କୁଚିଣ୍ଡା ଥାନା ପୁଲିସ୍‌ । ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ଆଜି ଏହି ମାମଲାର ପର୍ଦ୍ଦାଫାସ କରିଛି ପୁଲିସ୍‌ । ଲୁଟ୍‌ ଅଭିଯୋଗରେ ୩ ଆନ୍ତଃଜିଲ୍ଲା ଲୁଟେରାଙ୍କୁ ଧରି କୋର୍ଟ ଚଳାଣ କରିଛି ପୁଲିସ୍‌ ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ଅନୁଆପଡାର ଉମେଶ ଚନ୍ଦ୍ର ସାହୁ ଓରଫ ମୁତୁରା, ଯାଜପୁର ଜିଲ୍ଲା ମୁଶାଟିକିରିର ଅଜିତ କୁମାର କର ଓ ଲୁଟ୍‌ରେ ସହଯୋଗ କରୁଥିବା ମହୁଲପାଲି ଥାନା ବୁରୋଡିହିର ସଞ୍ଜିତ କୁମାର ପଟେଲ । ସେମାନଙ୍କଠାରୁ ପୁଲିସ୍‌ ଗୋଟିଏ ପିସ୍ତଲ, ୩ଟି ଜୀବନ୍ତ ଗୁଳି, କଳା ପଲସର ବାଇକ, ଗୋଟିଏ ମୋବାଇଲ ଫୋନ ପ୍ରମୁଖ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ଉମେଶ କୁମାର ସାହୁ ନାଁରେ ୨୬ଟି ମାମଲା ବିଭିନ୍ନ ଥାନାରେ ରହିଥିବା ବେଳେ ଅଜିତ କୁମାର କର ନାଁ’ରେ ରହିଛି ୨୨ଟି ଅପରାଧୀକ ମାମଲା । ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି କୁଚିଣ୍ଡା ପୁଲିସ। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା । ଲୁଟେରାମାନେ କୁଚିଣ୍ଡାର ଏକ ସୁନା ଦୋକାନରୁ ଲୁଟ ପାଇଁ ଯୋଜନା କରିଥିବା ଏସଡିଓ କହିଛନ୍ତି ।