ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅବସରରେ କୃତଜ୍ଞ ରାଷ୍ଟ୍ରର ପ୍ରଣାମ

0
142

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ଵର,(୦୨/୧୦) : ଆଜି ଅକ୍ଟୋବର ୨ ତାରିଖ । ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ବ୍ରିଟିଶ କବଳିତ ଭାରତରେ ବିଦ୍ରୋହର ବହ୍ନି ଜଳୁଥିବାବେଳେ ୧୯୦୪ ଅକ୍ଟୋବର ୨ ତାରିଖରେ ଉତ୍ତରପ୍ରଦେଶର ମୋଗଲସରାଇର ପବିତ୍ର ଭୂମିର କୋଳମଣ୍ଡନ କରିଥିଲେ ଦେଶଭକ୍ତ ଲାଲ ବାହାଦୂର ଶାସ୍ତ୍ରୀ ।

ତାଙ୍କ ଅସାଧାରଣ ବ୍ୟକ୍ତିତ୍ଵ ଓ ସାହାସ ପାଇଁ ସମସ୍ତଙ୍କ ନିକଟରେ ସେ ପରିଚିତ । କାଶୀ ବିଦ୍ୟାପୀଠରୁ ଶାସ୍ତ୍ରୀ ଉପାଧି ପାଇବା ପରେ ଲାଲ ବାହାଦୂର ସବୁଦିନ ପାଇଁ ଶାସ୍ତ୍ରୀ ହୋଇଗଲେ । ସମଗ୍ର ଦେଶରେ କ୍ରାନ୍ତିକୁ ସେ ପ୍ରଚଣ୍ଡ ରୂପ ଦେଇଥିଲେ । ଦେଶର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ‘ଜୟ ଜବାନ୍‌ ଜୟ କିସାନ୍‌’ ନାରା ଆଜି ବି ଭାରତୀୟଙ୍କ ପାଇଁ ଏକ ଶକ୍ତିଶାଳୀ ସ୍ଲୋଗାନ୍‌ ହୋଇରହିଛି ।

ବ୍ରିଟିଶ ସରକାର ବିରୁଦ୍ଧରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର କର୍ମକର୍ତ୍ତା ଭାବେ ଯୌବନରେ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ଜେଲରୁ ଫେରିବା ପରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ଭାରତୀୟ ସ୍ୱାଧୀନତା ସଂଗ୍ରାମର ସମସ୍ତ କାର୍ଯ୍ୟ ସହିତ ଆନ୍ଦୋଳନରେ ସକ୍ରିୟ ଭୂମିକା ସେ ନିର୍ବାହ କରିଥିଲେ । ଅସହଯୋଗ ଆନ୍ଦୋଳନ, ଦାଣ୍ଡି ଯାତ୍ରା ଓ ଭାରତ ଛାଡ଼ ଅନ୍ଦୋଳନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା । ନେହରୁଙ୍କ ମନ୍ତ୍ରୀମଣ୍ଡଳରେ ସେ ଗୃହମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ନେହରୁଙ୍କ ମୃତ୍ୟୁ ପରେ ଜୁନ୍‌ ୧୯୬୪ ରେ ଶାସ୍ତ୍ରୀ ହେଲେ ଭାରତର ୨ୟ ପ୍ରଧାନମନ୍ତ୍ରୀ । ଭାରତର ଆର୍ଥିକ ସମସ୍ୟା ସହ ସେ ଖୁବ୍‌ ଲଢ଼େଇ କରିଥିଲେ । ତାଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ।

ଲାଲ ବାହାଦୂର ଶାସ୍ତ୍ରୀ ତାଣର କୁଶଳ ରଣନୀତି ବଳରେ ଶତ୍ରୁ ଦେଶ ପାକିସ୍ତାନକୁ ଧୂଳି ଚଟାଇଥିଲେ। ୧୯୬୨ରେ ଯେତେବେଳେ ଭାରତ ଚୀନ ଠାରେ ପରାଜିତ ହୋଇଥିଲା ସେହି ସମୟରେ ଭାରତୀୟ ସେନାଙ୍କ ବାହୁରେ ବଳ ନାହିଁ ବୋଲି ପାକିସ୍ତାନର ଭ୍ରମ ହୋଇଥିଲା । ଏହାପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ହେଲେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ରଣନୀତି କାରଣରୁ ପାକିସ୍ତାନକୁ ମୁଁହତୋଡ ଜବାବ ମିଳିଥିଲା ।

ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୋଦି କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ଶତ ପ୍ରଣାମ । ମୂଲ୍ୟବୋଧ ଓ ସିଦ୍ଧାନ୍ତ ଉପରେ ଆଧାରିତ ତାଙ୍କର ଜୀବନ ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାସ୍ରୋତ ରହିବ ।