ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ପରିଚାଳନା ସମୀକ୍ଷା

0
183

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୧୧/୧୦) : ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସୱାନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ସ୍ଥିତି ଓ ପରିଚାଳନାର ସମୀକ୍ଷା କରିଛନ୍ତି | ପର୍ବପର୍ବାଣୀ ଶେଷ ହେବା ପର୍ଯ୍ୟନ୍ତ ଡିସେମ୍ବର ମାସ ଯାଏ ପ୍ରୋଟୋକଲ ଅନୁପାଳନର ଯାଞ୍ଚ ପ୍ରକ୍ରିୟା କଡାକଡି କରିବା ସହିତ ଲୋକମାନଙ୍କୁ ସଚେତନ କରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରତ୍ୟେକ ବ୍ଲକ, ଏନ.ଏ.ସି. ଓ ପୌରାଞ୍ଚଳରେ ପ୍ରଚାର କରିବାକୁ ବିଡିଓ ଏବଂ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ପରିଚାଳନା ସମୀକ୍ଷା ରାଜ୍ୟରେ କରୋନାର ତୃତୀୟ ଲହର ପ୍ରଭାବ ପରିଲକ୍ଷିତ ହେଉଥିବାରୁ ଜିଲ୍ଲାରେ ସମସ୍ତେ ଯେପରି କୋଭିଡ ପ୍ରୋଟୋକଲ ମାନି ପୂଜା ଆୟୋଜନ କରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ କହିଛନ୍ତି । ଜନଗହଳି ପ୍ରତି ନଜର ରଖି ପାର୍ବଣ ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୋଜିଭାତର ଆୟୋଜନ ନ କରାଇବାକୁ ନିର୍ଦେଶ ଦେଇଛନ୍ତି । ଏଥିରେ ଖିଲାପ କଲେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସଂକ୍ରମଣଠୁ ଦୂରେଇ ରହିବା ପାଇଁ ସମସ୍ତେ ମାସ୍କ ପରିଧାନ କରିବା, ଗହଳିକୁ ନ ଯାଇ ସାମାଜିକ ଦୂରତା ରକ୍ଷା କରିବା, ପରିଷ୍କାର ପରିଚ୍ଛନତା ପ୍ରତି ସଜାଗ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପୋଲିସ ଅଧିକାରୀମାନେ ପୂଜା ଓ ଉତ୍ସବ ଆଦି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପ୍ରତି ମଧ୍ୟ ବିଶେଷ ଗୁରୁତ୍ବ ଦେବାକୁ କହିଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆର.ଟି.ପି.ସି.ଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ବୈଠକରେ ଅବଗତ କରାଇଥିଲେ । ଅଦ୍ୟାବଧି ଜିଲ୍ଲାରେ ୬,୪୭,୦୩୪ ଜଣ ପ୍ରଥମ ଡୋଜ ଟୀକା ଏବଂ ୧,୯୪,୦୪୫ ଜଣ ଦ୍ୱିତୀୟ ଡୋଜ ଟୀକା ନେଇଥିବା ସେ ପ୍ରକାଶ କରିଛନ୍ତି ।

ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ତ୍ରିପାଠୀ , ଡି.ପି.ଏମ. , ଏନ.ଏଚ.ଏମ. ସୋନାଲୀ ପ୍ରିୟଦର୍ଶିନୀ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନା ରାୟ, ଆପତି କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ର , ଡି.ପି.ଓ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।