ଜରାସିଂହା ର ଇଷ୍ଟଦେବୀ ମାଁ ପାଟଖଣ୍ତାଙ୍କ ପାଟଖଣ୍ତା ଯାତ୍ରା ସୁଦୀର୍ଘ ୭୮୭ ବର୍ଷର ଭବ୍ୟ ଓ ସମୃଦ୍ଧ ପରମ୍ପରା

0
141

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୧/୧୦) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଜରାସିଂହା ର ଇଷ୍ଟଦେବୀ ମାଁ ପାଟଖଣ୍ତା ଙ୍କ ଠାରେ ପାଳିତ ହେଉଥିବା ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମାଁ’ଙ୍କ ପାଟଖଣ୍ତା ଯାତ୍ରା ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଛି । ସମ୍ପୂର୍ଣ୍ଣ ଆଞ୍ଚଳିକ ପରମ୍ପରା ଓ ରୀତି ନୀତିରେ ପାଳିତ ହେଉଥିବା ଏକ ଉତ୍ସବ ସଠିକ ପ୍ରଚାର ପ୍ରସାର ଅଭାବରୁ ରାଜ୍ୟସ୍ତରରେ ସେଭଳି ନାଁ କମାଇ ପାରିନାହିଁ ।WhatsApp Image 2021 10 12 at 9.57.47 AM ଜରାସିଂହା ର ଇଷ୍ଟଦେବୀ ମାଁ ପାଟଖଣ୍ତାଙ୍କ ପାଟଖଣ୍ତା ଯାତ୍ରା ସୁଦୀର୍ଘ ୭୮୭ ବର୍ଷର ଭବ୍ୟ ଓ ସମୃଦ୍ଧ ପରମ୍ପରା

ବଲାଙ୍ଗିର ଜିଲ୍ଲାର ଚିର ଅବହେଳିତ ଦେଓଗାଁ ବ୍ଲକ ଜରାସିଂହା ର ଇଷ୍ଟଦେବୀ ମାଁ ପାଟଖଣ୍ତା ଙ୍କ ଏହି ପରିମ୍ପାରିକ ଯାତ୍ରା ଆଜି କାଲି କି ମାସେ କିମ୍ବା ବର୍ଷେ ଅବଧିର ନୁହେଁ, ବରଂ ସୁଦୀର୍ଘ ୭୮୭ ବର୍ଷର ଏକ ଭବ୍ୟ ଓ ସମୃଦ୍ଧ ପରମ୍ପରା । ମାଁ ପାଟଖଣ୍ତା ଯେମିତି ଅଞ୍ଚଳବାସୀଙ୍କ ସୁଖ, ଦୁଃଖ ଓ ଦୈନନ୍ଦିନ ଜୀବନଚର୍ଯ୍ୟା ସହ ଜଡ଼ିତ ତାଙ୍କ ଯାତ୍ରା ମଧ୍ୟ ସେମିତି ଲୋକଙ୍କ ଭାବନା, ଆଚାର, ବ୍ୟବହାର ସହ ଓତଃପ୍ରୋତ ଭାବେ ଜଡ଼ିତ କହିଲେ ଅତ୍ୟୁକ୍ତି ହେବନାହିଁ ।

ସମ୍ପୂର୍ଣ୍ଣ ଆଞ୍ଚଳିକ ଭିତ୍ତି ଓ ପ୍ରୟାସ କ୍ରମେ ପାଳିତ ହେଉଥିବା ଏହି ଯାତ୍ରାକୁ ଆଜି ଯାଏଁ ନା ମିଳି ପାରିଛି ରାଜ୍ୟ ସ୍ତରୀୟ ସ୍ୱୀକୃତି ନା ମିଳିଛି କୌଣସି ଆଖି ଦୃଶିଆ ସହାୟତା । ଫଳରେ ଆଜି କାଲିର ମହଙ୍ଗା ଯୁଗରେ ବଢୁଥିବା ଖର୍ଚ୍ଚ ଆଗରେ ଧିରେ ଧିରେ ତାର ପୂର୍ବ ଐଶ୍ୟର୍ଯ୍ୟ ହରାଇବାକୁ ବସିଲାଣି । ଚଳିତ ବର୍ଷ ୭୮୮ ତମ ବର୍ଷରେ ପଦାର୍ପଣ କରିଥିବା ଏହି ପ୍ରସିଦ୍ଧ ଯାତ୍ରାକୁ ନେଇ ଏକ ସ୍ୱତନ୍ତ୍ର ଉପସ୍ଥାପନା, ‘୭୮୮ ବର୍ଷର ସମୃଦ୍ଧ ପରମ୍ପରା, ଜରାସିଂହାର ପାଟଖଣ୍ତା ଯାତ୍ରା’ ।

ଦେଓଗାଁ ବ୍ଲକର ଜରାସିଂହା ନିକଟ ଦେଇ କାହିଁ କେଉଁ ଅବହମାନ କାଳରୁ ବହିଯାଇଛି ସୋନଗଡ଼ ନଦୀ । ନଦୀର ଗୋଟିଏ ପାର୍ଶ୍ଵରେ ଜନବସତି ରହିଥିବା ବେଳେ ଅପର ପାର୍ଶ୍ଵରେ ରହିଛି ଦେଝାର ଜଙ୍ଗଲ । ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରାତନ ମହୁଲ ଗଛର କୋରଡ଼ରେ ଅବସ୍ଥାପିତ ମାଁ ପାଟଖଣ୍ତା ଦେବୀ । ତେବେ ଦେବୀଙ୍କ କୌଣସି ମୂର୍ତ୍ତି ନ ଥିବା ବେଳେ ପ୍ରତିକ ସ୍ୱରୂପ ରହିଛି ଏକ ୪ ଇଞ୍ଚ ଲମ୍ବ ଓ ୧ ଇଞ୍ଚ ଦୌଘ୍ୟ ବିଶିଷ୍ଟ ଲୁହା ଖଣ୍ତ ।

ଐତିହାସିକ ତଥ୍ୟ ଓ ଲୋକପ୍ରଥା ଅନୁସାରେ ପାଟଣା ରାଜା ବସ୍ତ୍ରରାଜ ଦେଓ (୧୨୧୭ ରୁ ୧୨୨୪ ମଧ୍ୟରେ)ଙ୍କ ରାଜତ୍ୱ ସମୟରେ ଥରେ ମସ୍ତର ରାଜ୍ୟର ରାଜାଙ୍କ ସହିତ ତାଙ୍କର ଯୁଦ୍ଧ ଚାଲିଲା । ଉଭୟ ପକ୍ଷରୁ ବହୁ ସୈନ୍ୟ ସାମନ୍ତ ହତାହତ ମଧ୍ୟ ହୋଇଥିଲେ । ତେବେ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ତଥା ଚୌହାଣ ରାଜବଂଶ ର କୁଳଦେବୀ ମାଁ ପାଟଣେଶ୍ୱରୀଙ୍କ ଆଶୀର୍ବାଦ କ୍ରମେ ତାଙ୍କର ପାଟଖଣ୍ତା ଯୁଦ୍ଧରେ ରାଜା ବସ୍ତ୍ରରାଜ ଦେଓଙ୍କୁ ସହଯୋଗ କରିବାକୁ ସେ ବସ୍ତର ରାଜାଙ୍କୁ ପରାସ୍ତ କରିବା ସହିତ ନିଜର ଗୌରବ ଓ ଆଧିପତ୍ୟ ଅକ୍ଷୁର୍ଣ୍ଣ ରଖି ପାରିଥିଲେ ।

ଫଳରେ ମାଁ ପାଟଣେଶ୍ୱରୀଙ୍କ ଆଶୀର୍ବାଦ ସ୍ୱରୂପ ସେହି ପାଟଖଣ୍ତାକୁ ଉକ୍ତ ଦିନଠାରୁ ମାଁ ପାଟଖଣ୍ତା ଭାବେ ଜରାସିଂହା ସ୍ଥିତ ଜଙ୍ଗଲରେ ସ୍ଥାପନା ପୂର୍ବକ ପୂଜାର୍ଚନା କରାଯାଇ ଆସୁଅଛି । ଉଭୟ ଚୌହାନ ରାଜବଂଶ ଓ ଜରାସିଂହା ଜମିଦାରଙ୍କ ପୃଷ୍ଠ ପୋଷକତାରେ ଉକ୍ତ ଦିନଠାରୁ ମାଁ’ଙ୍କ ପୂଜା ଉପଚାର ସହ ପାଟଖଣ୍ତା ଯାତ୍ରା ଆୟୋଜିତ ହୋଇ ଆସୁଛି ବୋଲି କିମ୍ବଦନ୍ତୀ ରହିଛି ।

ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରତିବର୍ଷ ଜରାସିଂହା ର ଇଷ୍ଟଦେବୀ ମାଁ’ଙ୍କ ଏହି ଭବ୍ୟ ପୂଜୋତ୍ସବ ଆରମ୍ଭ ହୋଇଥାଏ ଦଶହରା କୃଷ୍ଣ ମୂଳାଷ୍ଟମୀଠାରୁ । ମୂଳାଷ୍ଟମୀ ଦିନ ମାଁ’ଙ୍କଠାରେ ଲିଆ ତଥା ରାଜ ପ୍ରତିନିଧିଙ୍କ ଊଉପସ୍ଥିତିରେ ଖଣ୍ତାବସା, ଷୋଡ଼ଷ ଉପଚାର ପୂଜା ଆୟୋଜିତ ହୋଇଥାଏ । ଦଶହରା ଅମାବାସ୍ୟାରେ ତଲେଇ ବସା ପୂଜା, ଶୁକ୍ଳ ପକ୍ଷ ନବମୀ ପର୍ଯ୍ୟନ୍ତ ପିଠା ଭୋଗ ସହ ଗ୍ରାମୀଣ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ମାଁ’ଙ୍କ ପାଟଖଣ୍ତା ପୂଜା ପାଇଁ ଆଶ୍ୱିନ ଶକ୍ଳ ପକ୍ଷ ମହାସପ୍ତମୀ ଦିନ ପାଟଣାଗଡ଼ ସ୍ଥିତ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରୁ ପାଟସିନ୍ଦୁର ବାହାରି ସେଠାକାର ମାଁ ସମଲେଶ୍ୱରୀଙ୍କ ମନ୍ଦିର ଦେଇ ଆସିଥାଏ ଜରାସିଂହା କୁ । ଜଣେ ଦେହୁରୀ ଓ ଜଣେ ସହାୟକ ମାଁ’ଙ୍କ ଏହି ସିନ୍ଦୁର ଧରି ପାଦରେ ଚାଳି ଚାଳି ଆସି ଗାଁରେ ପହଞ୍ଚିବା ପରେ ଜରାସିଂହାରେ ମାଁ’ଙ୍କ ପୂଜକ, ଦେହୁରୀ, ସେବାୟତ ଓ ଗ୍ରାମବାସୀ ତାଙ୍କୁ ସ୍ୱାଗତ କରିଥାନ୍ତି ।

ପରଦିନ ତଥା ଅଷ୍ଟମୀ ତିଥିରେ ମାଁ ପାଟଖଣ୍ତାଙ୍କ ଷୋଡ଼ଷ ଉପଚାର ପୂଜା କରାଯାଇଥାଏ । ନବମୀ ତିଥିରେ ପାଟଣାଗଡ଼ରୁ ଅଣାଯାଇଥିବା ପାଟସିନ୍ଦୁର ବରଣ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାଁ ପାଟଖଣ୍ତାଙ୍କ ପ୍ରତିକ ସ୍ୱରୂପ ଉକ୍ତ ଲୌହ ଖଣ୍ତାକୁ ଧରିଥିବା ବରୁଆ ବା ଦେହୁରୀମାନଙ୍କ ଦେହରେ ଦେବତା ପ୍ରବେଶ କରିବାର ପ୍ରଥା ରହିଛି । ଏହି ପ୍ରଥା ଅନୁସାରେ ଦେବୀ ବରୁଆଙ୍କ ଶରୀରରେ ସବାର ହେବା ପରେ ଭକ୍ତମାନେ ତାଙ୍କର ଦର୍ଶନ କରି ନିଜ ମାନସିକ ଜଣାଇ ଆଶୀର୍ବାଦ ଭିକ୍ଷା କରିଥାନ୍ତି ।

ଅନ୍ୟପଟେ ପାଟଖଣ୍ତାକୁ ଦେବାଧିଦେବ ମହାଦେବଙ୍କ ଅଂଶ ବିଶେଷ ବୋଲି ମଧ୍ୟ ଧରାଯାଇଥାଏ । ତେଣୁ ମାଁ ପାଟଖଣ୍ତା ଉଭୟ ଦେବୀ ଓ ଦେବ ଭାବେ ପୂଜା ପାଇବା ହେଉଛି ଏହି ଯାତ୍ରାର ବୌଶିଷ୍ଠ୍ୟ । ଦେବ ପୂଜନ ପାଇଁ ଏକାଦଶୀ ତିଥିରେ ୯୬ କିଲୋଗ୍ରାମ ଅରୁଆ ଚାଳଉଳର ଏକ ବିଶାଳ କାୟ ଲିଙ୍ଗ ପ୍ରସ୍ତୁତ କରାଯାଇ ବିଧିବଦ୍ଧ ଭାବେ ସ୍ଥାପନା କରାଯିବା ପରେ ପୂଜାର୍ଚନା କରାଯାଇଥାଏ । ପାଟଖଣ୍ତା ଦେବତାଙ୍କ ନିକଟରେ ଛୁଆଁ, ଅଛୁଆଁ କିଛି ନାହିଁ । ବର୍ତ୍ତମାନ ଜରାସିଂହାର ଜମିଦାର ଦୁର୍ଗା ପ୍ରସାଦ ସିଂହଦେଓ ମାଁ ପାଟଖଣ୍ତା ଦେବତାଙ୍କ ମୁଖ୍ୟ ସେବକଭାବେ ଦାୟୀତ୍ୱ ତୁଲାଉଥିବା ବେଳେ ବରୁଆ ଭାବେ ସନ୍ତୋଷ ଥନାପତି ପୂଜା କାର୍ଯ୍ୟ ଓ ଯାତ୍ରା ସମ୍ପାଦନା କରିଥାନ୍ତି ।

ପାରମ୍ପରିକ ରୀତି ନୀତି ଅନୁଯାୟୀ ଯାତ୍ରାରେ ନିୟୋଜିତ ହୋଇଥାନ୍ତି ୩୨ ଜଣ ଦେହୁରୀ ମଧ୍ୟରୁ ୩ ଜଣ ଜମିଦାର ବଂଶ ର ନିଜେ ଜମିଦାର, ବଡ଼ ମଲ୍ଲିକ (ଦେହୁରୀମାନଙ୍କ ମୁଖ୍ୟ) ଓ ପେଠା ବାବୁ (ଯେଉଁ ଭକ୍ତ ଦେବୀଙ୍କ ବେଲ ପତ୍ର ସଂଗ୍ରହ ଓ ଭୋଗ ଯୋଗାଡ଼ କାର୍ଯ୍ୟରେ ଲାଗିଥାନ୍ତି) । ସେହିପରି ପୂଜା କାର୍ଯ୍ୟରେ ସମ୍ପାଦନା କରିଥାନ୍ତି ୩ ଜଣ ଥନାପତି ।

ସେମାନେ ହେଲେ ପାଟଖଣ୍ତା ଦେବୀଙ୍କ ମୁଖ୍ୟ ବରୁଆ, ଝାଙ୍କର, ବୁଢୀ ଆଈ ଦେବୀଙ୍କ ପୂଜକ, ପତ୍ରିମାଲି ବିରୁପାଣି ଦେବତା ଦେବତାଙ୍କ ବରୁଆ । ଏଥି ସହିତ କୁର୍ଠୁଲିଆ, ଝାଙ୍କର, ସାଆନ୍ତ (ଯେଉଁ ଭକ୍ତ ଦେବୀଙ୍କ ୩ ଖଣ୍ତାର ରକ୍ଷଣା ବେକ୍ଷଣ କରିଥାନ୍ତି), ଦେହେଲିଆ (ଜୈଳିକ ବୈଶ୍ୟ ଜାତି), ସେଲମା ବଂଶ (ଯେଉଁ ଭକ୍ତ ମଶାଲ କାମରେ ନିୟୋଜିତ ହୋଇଥାନ୍ତି), ୪ଜଣ ବାରିକ (ତିନୋଟି ଯାକ ଦେବୀଙ୍କ ଭୋଗ ପ୍ରସ୍ତୁତ କରନ୍ତି), ୬ଜଣ ଦଣ୍ତସେନା (ଦେବୀଙ୍କ ଆର୍ବିଭାବ ସମୟରେ ବାହାରନ୍ତି), ସେଲମା(ପୂଜା ପାଇଁ ପାଣି ଯୋଗାଉଥିବା ଭକ୍ତ) ।

ଏଥି ସହିତ ୧୨ ଘରିଆ ୩ ଜଣ ବାଦ୍ୟକାର ଯଥା ଢୋଲିଆ, ନିଶାନିଆ ଓ ମୋହୁରିଆ । ରଣା ପୂଜା ପାଇଁ ମାଟି ପତ୍ର ଯୋଗାଉଥିବା ଦାୟୀତ୍ୱ ତୁଲାଉଥିବା ବେଳେ ସେଠ୍‌ ବା ପୁରାତନ ପାଟଖଣ୍ତାଙ୍କ ବଂଶଧର ଛତ୍ରୀଆ ବୁଢୀଆଈ ଛତ୍ର ଦାୟୀତ୍ୱ ନେଇଥାନ୍ତି । ପସାୟତ୍‌ ଓ ସେଠ୍‌ କପଡ଼ା ସଫା କରିବା ଓ ଖିଅର ର କର୍ମ କରିବା ପାଇଁ ନିଜୋୟିତ ହୋଇଥାନ୍ତି । ବାହାକ ଦେବୀଙ୍କ ଠାରେ ବଳି କାର୍ଯ୍ୟରେ ସହଯୋଗ କରନ୍ତି । ଏହିପରି ୩୨ ଦେହୁରୀୟା ଓ ତାଙ୍କ ବଂଶଧର ପାରମ୍ପରିକ ରୀତି ନୀତି ଅନୁସାରେ ସେମାନଙ୍କ ପାଇଁ ଧାର୍ଯ୍ୟ ହୋଇଥିବା କର୍ମ ଆଜି ଯାଏ କରିଆସୁଛନ୍ତି ।

ଚଳିତ ବର୍ଷ ମଧ୍ୟ ନବମୀ ତିଥିରୁ ଯାତ୍ରା ଅରମ୍ଭ ହୋଇଯାଇଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କି ଧିରେ ଧିରେ ମହଙ୍ଗାରୁ ମହଙ୍ଗା ହୋଇ ପଡ଼ୁଥିବା ଆଜିର ସମୟରେ ପୂର୍ବ ଭଳି ଏହି ପ୍ରସିଦ୍ଧ ଯାତ୍ରାକୁ ସୁଚାରୁ ରୂପେ ସମ୍ପାଦନା ଓ ପରିଚାଳନା କରିବାରେ ଅର୍ଥ ହିଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ରାଜସ୍ୱ ବିଭାଗ ପକ୍ଷରୁ ମାତ୍ର ଅଳ୍ପ କିଛି ସହାୟତା ଆସୁଥିବା ବେଳେ ଏହାକୁ ବଢାଇବାକୁ ବାରମ୍ବାର ଦାବୀ ହୋଇଆସୁଛି ।

ଗତ ୨୦୦୯ ରୁ ଦେବୋତ୍ତର ବିଭାଗ ପକ୍ଷରୁ ୫ ହଜାର ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଥିବା ବେଳେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଳଟିଛି । ଦେବୋତ୍ତର ବିଭାଗ ଓ ସରକାର ଏହା ଉପରେ ଧ୍ୟାନ ନ ଦେଲେ ପାଖା, ପାଖି ୯ ଶତାବ୍ଦୀର ଏହି ଭବ୍ୟ ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।