ମାଁ ପାଟଣେଶ୍ୱରୀ ଙ୍କ ପ୍ରସିଦ୍ଧ ବଏଲ ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ

0
163

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୫/୧୦) : ତନ୍ତ୍ର ମନ୍ତ୍ର ଏବଂ ଯନ୍ତ୍ର ର ସର୍ବ ପୁରାତନ ପୀଠସ୍ଥଳୀ ଐତିହାସିକ ସହର ପାଟଣାଗଡ ତଥା ଗଡଜାତ ପାଟଣାଷ୍ଟେଟ ର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଙ୍କ ପ୍ରସିଦ୍ଧ ବଏଲ ଯାତ୍ରା କୋଭିଡ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି । ମାଁ ପାଟଣେଶ୍ୱରୀଙ୍କ ସହ ମାଁ ଡଙ୍ଗେଇ ଏବଂ ମାଁ ସମଲେଶ୍ୱରୀ ମଧ୍ୟ ମନ୍ଦିରରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ପୂର୍ବ ପ୍ରଥା ଏବଂ ପରମ୍ପରା ଆଧାରରେ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଙ୍କ ଦ୍ୱାରା ଖପର ଚୁପା ନିତୀ ମଧ୍ୟ ସମ୍ପନ୍ନ ହୋଇଛି । କୋଭିଡ କଟକଣା ପାଳନ ପାଇଁ ତମାମ ବ୍ୟବସ୍ଥା ସତ୍ତ୍ୱେ ମାଁ ଙ୍କ ଦର୍ଶନ ଏବଂ ଭକ୍ତ ଙ୍କ ଗହଳି ପୋଲିସ ଓ ପ୍ରଶାସନର ସମସ୍ତ ବ୍ୟବସ୍ଥାକୁ ଫେଲ କରିଦେଇଛି । ବଲାଙ୍ଗୀର ଜିଲ୍ଲାର ଐତିହାସିକ ତନ୍ତ୍ର ପୀଠ ପାଟଣାଗଡର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ଙ୍କ ଉପରେ ଥିବା କୋଟିକୋଟି ଭକ୍ତ ଙ୍କ ଆସ୍ଥା ଏବଂ ବିଶ୍ୱାସ ମାଁ ପାଟଣେଶ୍ୱରୀ ଙ୍କ ଦର୍ଶନ ପାଇଁ ବର୍ଷ କୁ ଥରେ ଟାଣି ଆଣେ ଗଡଭିତର ପଡିଆକୁ ।

ଦୁଇ ବର୍ଷ ହେଲା କୋଭିଡ କଟକଣା ପାଇଁ ଭକ୍ତ ମାଁ ଙ୍କ ଦର୍ଶନ ରୁ ବଞ୍ଚିତ ରହିଥିବା ବେଳେ ଏ ବର୍ଷ ମଧ୍ୟ ରାଜ୍ୟ ସରକାର ଙ୍କ ପାର୍ବଣ କଟକଣା ମଧ୍ୟରେ ବଏଲ ଯାତ୍ରା ସମ୍ପନ୍ନ ହୋଇଛି । ସନ୍ଧ୍ୟା ୯ ଟା ପରେ ମାଁ ପାଟଣେଶ୍ୱରୀ ପ୍ରଥମେ ମନ୍ଦିର ରୁ ବାହାରି ବଏଲ ଯାତ୍ରା ର ପ୍ରଥମ ପର୍ଯ୍ୟାୟରେ ଗଡ ର ଦ୍ୱାର କୀଳା, ଖପର ଚୁପା, ନଗର ପରିକ୍ରମା ସହ ତାଙ୍କ ଭଉଣୀ ମାଁ ସମଲେଶ୍ୱରୀ ଏବଂ ମାଁ ଦଶମତୀ ଙ୍କୁ ଦେଖା କରିଥିଲେ । ପରେ ପରେ ମାଁ ଡଙ୍ଗେଇ ଏବଂ ମାଁ ସମଲେଶ୍ୱରୀ ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଏଲ ଯାତ୍ରା ରେ ବିଧି ଏବଂ ପ୍ରଥା ଅନୁ୍‌ଯାୟୀ ସମାନ ନୀତିକାନ୍ତି ପାଳନ କରିଥିଲେ ।

ପୂର୍ବ ପ୍ରଚଳିତ ପ୍ରଥା ଏବଂ ଲୋକକଥା ଅନୁଯାୟୀ ଖ୍ରୀଷ୍ଟପୁର୍ବ ୫୪ ମସିହା ରେ ରାଜା ମାଧବଚନ୍ଦ୍ର ମାଁ ପାଟଣେଶ୍ୱରୀ ଙ୍କୁ ଜଙ୍ଗଲ ରୁ ଆଣି ରାଜଦରବାରରେ ସ୍ଥାନ ଦେଇଥିଲେ । ସେତେବେଳେ ପାଟଣାଗଡ ର ନାମ ପତନଗଡ ରହିଥିବା ବେଳେ ମାଁ ପାଟଣେଶ୍ୱରୀଙ୍କ ନାମରେ ନଗରର ନାମ ପରିବର୍ତ୍ତନ ହୋଇ ପାଟଣାଗଡ ହୋଇଥିଲା । ପରେ ପରେ ବିଭିନ୍ନ ରାଜାରାଣୀ ଙ୍କ ଦେହାନ୍ତ ପରେ ଅଷ୍ଟମଲ୍ଲ ରାଜ୍ୟ ଶାସନ କଲେ । ସେ ମଧ୍ୟରୁ ପାଣିଗ୍ରାହୀ ମଲ୍ଲ ଙ୍କ ପାଳିତ ପୁତ୍ର ରମାଇଁ ଦେଓ ଜଣେ ମଲ୍ଲ କୁ ଛାଡି ସମସ୍ତ ମଲ୍ଲ କୁ କୌଶଳ କ୍ରମେ ହତ୍ୟା କରିଥିଲେ ଏବଂ ନିଜେ ରାଜ୍ୟ ର ରାଜା ହୋଇଥିଲେ ।

ସେ ସମୟ ରେ ତନ୍ତ୍ରଶକ୍ତି ରେ ଭରପୁର ଥିବା ପାଟଣାଗଡ ରେ ତାନ୍ତ୍ରିକ ମାନେ ମୃତ ବ୍ୟକ୍ତି ଙ୍କୁ ଜୀବିତ କରି ଦେଉଥିଲେ ଯାହାଫଳରେ ଉକ୍ତ ମଲ୍ଲ ଙ୍କ ମୁଣ୍ଡ, ଗଣ୍ଡି, ହାତଗୋଡ ଏବଂ ଅବୟବ କୁ ଚାରି ଜାଗା ରେ ଅଲଗା ଅଲଗା କରି ପୋତିଦେଲେ । କାଳେ ସେମାନେ ପୁଣି ଜୀବିତ ହୋଇଯିବେ ସେହିଦିନ ଠାରୁ ମାଁ ପାଟଣେଶ୍ୱରୀ ପ୍ରତିବର୍ଷ ଦଶହରା ର ମହାନବମୀ ତିଥି ରେ ମନ୍ଦିର ରୁ ବାହାରି ଉକ୍ତ କବର ରେ ସେହି ରମାଇ ଖଣ୍ଡା ଦ୍ୱାରା ପ୍ରହାର କରିଥାଆନ୍ତି ଯାହା ଖପରଚୁପା ନିତୀ ନାମ ରେ ପ୍ରସିଦ୍ଧ ।

ତେବେ ପ୍ରଶାସନ ର ୧୪୪ ଧାରା, ପୋଲିସ ଫୋର୍ସ ମୁତୟନ ଏବଂ ବ୍ୟାରିକେଡ କରାଯାଇ ଭକ୍ତ ଙ୍କୁ ମାଁ ଙ୍କ ଦର୍ଶନ ରୁ ବାରଣ କରାଯାଇଥିଲା ଯାହାଫଳରେ ଭକ୍ତ ଙ୍କ ମନ ରେ ଦୁଃଖ ର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ପରେ ମାଁ ଙ୍କ ନଗର ଭ୍ରମଣ ସମୟ ରେ ପ୍ରଶାସନ ର ତମାମ ସୁରକ୍ଷା ବ୍ୟବସ୍ଥା ବିଫଳ ହୋଇ କୋଭିଡ କଟକଣା କୁ ହଜାର ହଜାର ଭକ୍ତ ,ଶ୍ରଦ୍ଧାଳୁ ଏବଂ ଦର୍ଶକ ଉତସୁକତା ବସତଃ ଖାତିର କରିନଥିଲେ । ଯାହାଫଳରେ ପୋଲିସ ଏବଂ ପ୍ରଶାସନ କୁ ନାକେଦମ ହେବାକୁ ପଡିଥିଲା ।