ଆମେରିକାର ଜଳବାୟୁ ପରିବର୍ତ୍ତନ ଜନିତ ‘ପ୍ରଭାବିତ ରାଷ୍ଟ୍ର’ ତାଲିକାରେ ଭାରତ ସମେତ ୧୧ ରାଷ୍ଟ୍ର

0
223

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଓ୍ଵାସିଂଟନ୍‌/ନୂଆଦିଲ୍ଲୀ,(୨୩/୧୦) : ଆମେରିକାର ଜଳବାୟୁ ପରିବର୍ତ୍ତନ ଜନିତ ‘ପ୍ରଭାବିତ ରାଷ୍ଟ୍ର’ ବର୍ଗରେ ବାଇଡେନ୍‌ ପ୍ରଶାସନ ଭାରତ ସମେତ ୧୧ ଟି ରାଷ୍ଟ୍ରକୁ ତାଲିକାଭୁକ୍ତ କରିଛି । ‘ଆମେରିକାନ୍‌ ଇଣ୍ଟେଲିଜେନ୍‌ସ୍‌ କମ୍ୟୁନିଟି’ ଆକଳନ ଅନୁସାରେ, ଉପରୋକ୍ତ ୧୧ଟି ଦେଶ ବିଶ୍ୱ ତାପମାନ ଯୋଗୁଁ ସୃଷ୍ଟ ଗ୍ରୀଷ୍ମ ପ୍ରବାହ, ମରୁଡ଼ି ଏବଂ ଜଳ ଓ ଶକ୍ତି ସଙ୍କଟର ସମ୍ମୁଖୀନ ହେବେ ।

ଆମେରିକାର ଜଳବାୟୁ ପରିବର୍ତ୍ତନ ଜନିତ ‘ପ୍ରଭାବିତ ରାଷ୍ଟ୍ର’ ତାଲିକାରେ ଥିବା ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଛନ୍ତି, ଆଫଗାନିସ୍ତାନ, ଗୁଏଟମାଲା, ହାଇତି, ହୋଣ୍ଡୁରସ୍‌, ଇରାକ୍‌, ପାକିସ୍ତାନ, ନିକାରାଗୁଆ, କଲମ୍ବିଆ, ମିଆଁମାର୍‌ ଏବଂ ଉତ୍ତର କୋରିଆ । ୧୬ଟି ‘ଗୁଇନ୍ଦା ଏଜେନ୍‌ସି’ ଙ୍କ ତତ୍ତ୍ୱାବଧାନ କରୁଥିବା ‘ୟୁଏସ୍‌ ଅଫିସ୍‌ ଅଫ୍‌ ଦି ଡାଇରେକ୍ଟର୍‌ ଅଫ୍‌ ନ୍ୟାସ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌’ ପ୍ରଥମ କରି ଜଳବାୟୁ ପରିବର୍ତ୍ତନ ଉପରେ ‘ନ୍ୟାସ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌ ଏଷ୍ଟିମେଟ୍‌’ ର ସଙ୍କଳନ କରିଛି । ଗୁରୁବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ଆଫ୍ରିକୀୟ ମହାଦେଶରେ ଦୁଇଟି ଅଞ୍ଚଳ ମଧ୍ୟ ନାମିତ ହୋଇଛି ।

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ସୁହାଇବା ପାଇଁ ଭାରତ ସମେତ ଏହି ୧୧ ଟି ରାଷ୍ଟ୍ରରେ ଆର୍ଥିକ କିମ୍ବା ପ୍ରଶାସନିକ ସାମର୍ଥ୍ୟ ରହିବ ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଏହି ସବୁ ଦେଶରେ ତାପମାତ୍ରା ଅଧିକ ଉଷ୍ମ, ପାଗ ଖରାପ ହେବା ସହ ଶକ୍ତି, ଖାଦ୍ୟ, ଜଳ ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବ ।

ଭିନ୍ନ ଏକ ‘ଫ୍ୟାକ୍ଟ୍‌ ସିଟ୍‌’ ରେ ହ୍ଵାଇଟ୍‌ ହାଉସ୍‌ ମଧ୍ୟ କହିଛି ଯେ, ଜଳବାୟୁ ପରିବର୍ତ୍ତନ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ସ୍ୱାର୍ଥ ପ୍ରତି ଆହ୍ଵାନ ଭାବେ ଉଭା ହୋଇପାରେ ।