ମହଙ୍ଗା ମାଡ଼ରେ ସାଧାରଣ ଲୋକ ଘାଇଲା ହୋଇଗଲେଣି, ଓଡିଶା ସରକାରଙ୍କ ଚିନ୍ତା ନାହିଁ : କଂଗ୍ରେସ

0
165

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୧୭/୦୭) : ତୈଳଦର ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ସାଧାରଣ ଲୋକ ଏବେ ହତାଶ ହୋଇପଡ଼ିଛନ୍ତି । ମହଙ୍ଗା ମାଡ଼ରେ ସାଧାରଣ ଲୋକ ଘାଇଲା ହୋଇଗଲେଣି |

ମହଙ୍ଗା ମାଡ଼ରେ ସାଧାରଣ ଲୋକଙ୍କର ଅଣ୍ଟା ଭାଙ୍ଗି ସାରିଲାଣି, କିନ୍ତୁ ବିଜେପିର ‘ବି’ ଟିମ୍ ବିଜେଡି ଏହା ଚିନ୍ତା କରୁନି । ଗତ କିଛି ମାସ ମଧ୍ୟରେ ୨୪କୋଟି ଲୋକ ପୁଣିଥରେ ଦ୍ରାରିଦ୍ୟ ସୀମାରେଖା ତଳକୁ ଚାଲି ଯାଇଛନ୍ତି ବୋଲି ପୂର୍ବତନ ସାଂସଦ ତଥା ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସୁସ୍ମିତା ଦେବ କହିଛନ୍ତି ।

ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁସ୍ମିତା ଦେବ କହିଛନ୍ତି ଯେ, କରୋନା ମହାମାରୀର ମୁକାବିଲାରେ ସରକାର ବିଫଳ ହୋଇଥିବାବେଳେ କରୋନା ଆଳରେ ମହଙ୍ଗା ମାଡ଼ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଛି । ୨୦୦୪ ରୁ ୨୦୧୪ ମସିହା ଭିତରେ ଦାରିଦ୍ର୍ୟ ସୀମାରେଖାରୁ ଯେଉଁ ୨୪କୋଟି ଲୋକ ଉପରକୁ ଉଠିଥିଲେ ଏବେ ମୋଦି ସରକାରଙ୍କର ଭୁଲ୍ ନିଷ୍ପତ୍ତି ଓ ଅର୍ଥନୀତିକୁ ପରିଚାଳନା କରିବାରେ ବିଫଳତା ଯୋଗୁଁ ସେମାନେ ପୁଣିଥରେ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି ।

ସେ କହିଛନ୍ତି, ସେଣ୍ଟର ଫର ମନିଟରିଙ୍ଗ୍ ଅଫ୍ ଇଣ୍ଡିଆ ଇକୋନୋମି (ସି.ଏମ୍‌.ଆଇ.ଇ.) ର ପରିସଂଖ୍ୟାନ ଅନୁସାରେ କରୋନାର ଦ୍ୱିତୀୟ ଲହରରେ ପାଖାପାଖି ୨ କୋଟିରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଭାବରେ ତାଙ୍କର ରୋଜଗାର ହରାଇ ସାରିଛନ୍ତି । ଏପରିକି ପାଖାପାଖି ୯୭% ଭାରତୀୟମାନଙ୍କର ରୋଜଗାର ବହୁ ପରିମାଣରେ ହ୍ରାସ ଘଟିଛି ।

ଏପରିସ୍ଥଳେ ସରକାର ପେଟ୍ରୋଲ୍ ଓ ଡିଜେଲ ଉପରୁ ଅଧିକ ପରିମାଣର ଟ୍ୟାକ୍ସ ସଂଗ୍ରହ କରିବାକୁ ପଛାଉ ନାହାନ୍ତି । ଗତ ୭ ବର୍ଷ ଭିତରେ ମୋଦି ସରକାର କେବଳ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ ୨୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି । କିନ୍ତୁ ଏହି ଟଙ୍କା ଦେଶରେ କେଉଁ ବାବଦରେ ଖର୍ଚ୍ଚ ହୋଇଛି, ତାହାର ହିସାବ ଏପର୍ଯ୍ୟନ୍ତ ମୋଦି ସରକାର ଦେଶବାସୀଙ୍କ ସମ୍ମୁଖରେ ରଖିଲେ ନାହିଁ ।