ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମେଡିକାଲ ଟିମ୍

0
250

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୨/୧୧) : ବୌଦ୍ଧ ମହାନଦୀ କୂଳରେ ଥିବା ଗେହ୍ଳାମା ମନ୍ଦିର ପରିସରରେ ଦୀର୍ଘ ୭ ଦିନ ହେଲା ଅବହେଳିତ ଅବସ୍ଥାରେ ପଡିଥିବା ଜଣେ ଅସହାୟ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଙ୍କୁ ଗତ ୨୮ ତାରିଖ ଦିନ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ବୌଦ୍ଧ ଆଶ୍ରୟ ଅନୁଷ୍ଠାନରେ ରଖାଯାଇଥିଲା ।

ସଂପୃକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ପରିବାର ଲୋକଙ୍କ ସହ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯିବା ପରେ ତାଙ୍କର ପିତା ଧୁବେଇ ଷାଣ୍ଢ ପୁଅକୁ ଘରକୁ ଫେରାଇ ନେବାକୁ ଆଶ୍ରୟ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ସେ ଯିବାକୁ ରାଜି ହୋଇ ନ ଥିଲେ । ଫଳରେ ଜିଲା ପ୍ରଶାସନ ପକ୍ଷରୁ ମାନସିକ ବିକୃତ ଅବସ୍ଥାରେ ଥିବା ନିଳମଣି କୁ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିଲା ।

ମଙ୍ଗଳବାର ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସହିତ ଜିଲା ସାମାଜିକ ସୂରକ୍ଷା ଅଧିକାରୀ ଆଦିପତି କହଁର ଆଶ୍ରୟ କେନ୍ଦ୍ରରେ ପହଞ୍ଚିଥିଲେ । ନିଳମଣିଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଡାକ୍ତରୀ ଦଳ ପଚାରି ବୁଝିବା ସହିତ ତାଙ୍କୁ ଘରକୁ ଫେରାଇ ନେବାକୁ ଆଲୋଚନା କରିଥିଲେ । କିନ୍ତୁ ନିଳମଣି ଘରକୁ ଫେରିବାକୁ ରାଜି ନ ହେବାରୁ ଅଧିକ ୭ ଦିନ ପର୍ଯ୍ୟନ୍ତ ତାଙ୍କୁ ଆଶ୍ରୟ କେନ୍ଦ୍ରରେ ରଖାଯିବା ସହ ଚିକିତ୍ସାସେବା ଯୋଗାଇ ଦେବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କହଁର ସୂଚନା ପ୍ରଦାନ କରିଛନ୍ତି ।

ଏହି ଡାକ୍ତରୀ ଦଳରେ ମନସ୍ୱତ୍ତ୍ୱବିତ ଡା. ଅବିନାଶ ମିଶ୍ର,ସାମାଜିକ କର୍ମୀ ସିଦ୍ଧାର୍ଥ କୁମାର ସାହୁ, ସେବିକା ଶୈଳବାଳା ସ୍ୱାଇଁ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, କର୍ମଚାରୀ ଅକ୍ଷୟ କୁମାର ମହାକୁଡ ଓ ଆଶ୍ରୟ କେନ୍ଦ୍ରର ପରିଚାଳକ କୃପାସିନ୍ଧୁ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।